ଇମ୍ପାକ୍ଟ ପକ୍ଷରୁ ଭାରୋତ୍ତୋଳକ ଝିଲି ଦଳବେହେରାଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର  : ଓଡ଼ିଶାର ତାରକା ଭାରୋତ୍ତୋଳକ ଝିଲି ଦଳବେହେରାଙ୍କୁ ସମ୍ମାନଜନକ କ୍ରୀଡ଼ା ପୁରସ୍କାର ଏକଲବ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି । କ୍ରୀଡ଼ା କ୍ଷେତ୍ରରେ ବିପୁଳ ସଫଳତା ପାଇଁ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ( ଇମ୍ପାକ୍ଟ ) ପକ୍ଷରୁ ଝିଲିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଭୁବନେଶ୍ବର ମେଫେୟାରରେ ଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ମହିଳା ରେସଲର ବବିତା ଫୋଗଟ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଝିଲିଙ୍କୁ ଟ୍ରଫି ଓ ମାନପତ୍ର ସହ ୫ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

ଏହି ଅବସରରେ ରାଜ୍ୟର ଅନ୍ୟ ଦୁଇ କ୍ରୀଡ଼ାବିତ ଯଥା ଫୁଟବଲର ଯବାମଣି ଟୁଡୁ ଏବଂ ହକି ତାରକା ନମିତା ଟପ୍ପୋଙ୍କୁ କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଇମ୍ଫାକ୍ଟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭଭୟ ଖେଳାଳିଙ୍କୁ ୫୦ ହଜାର ଟଙ୍କା ଓ ମାନ ପତ୍ର ଦେଇ ସମ୍ମାନିତ କରାଯାଇଛି ।

ଏହି ଉତ୍ସବରେ ଅର୍ଜୁନ ପୁରସ୍କାର ପ୍ରାପ୍ତ ସାଇକ୍ଲିଷ୍ଟ ମିନତି ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।  ପୁରସ୍କାର କମିଟି ଆବାହକ ଅଶୋକ ବେହେରା ସ୍ବାଗତ ଭାଷଣ ଦେଇଥିଲେ । ଇମ୍ଫାକ୍ଟର ଅଧ୍ୟକ୍ଷ ପୂର୍ବତନ ସାଂସଦ  ବୈଜୟନ୍ତ ପଣ୍ଡା କ୍ରୀଡା ପୁରସ୍କାର ପ୍ରଦାନର ଧାରା ସଂପର୍କରେ ଉଲ୍ଲେଖ କରିଥିଲେ । ଉତ୍ସବରେ ବରିଷ୍ଠ ଜୁରୀ ସଦସ୍ୟ ଏସପି ଠାକୁର ଉପସ୍ଥିତ ଥିବାବେଳେ ଇମ୍ଫାର ବରିଷ୍ଠ ଅଧିକାରୀ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

୨୦୧୭ରୁ ଝିଲି ଅନ୍ତର୍ଜାତୀୟ ସ୍ତରରେ ଲଗାତର ସଫଳତା ଅର୍ଜନ କରିଆସୁଛନ୍ତି। ୨୦୧୭ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ କମନ୍‌ୱେଲ୍‌ଥ ଭାରୋତ୍ତୋଳନ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ସେ ୨୦୧୮ରେ ଜାତୀୟ ଜୁନିଅର ମହିଳା ଭାରୋତ୍ତୋଳନରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ଉଜ୍‌ବେକିସ୍ତାନରେ ଖେଳାଯାଇଥିବା ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନଶିପରେ ସେ ରୌପ୍ୟ ପଦକ ହାସଲ କରିଥିଲେ।

ସେହି ବର୍ଷ ଜୁନିଅର ବିଶ୍ୱ ଚାମ୍ପିଅନଶିପରେ ମଧ୍ୟ ସେ ବ୍ରୋଞ୍ଜ ଜିତିଥିଲେ। ୨୦୧୮ରେ ତୁର୍କମେନିସ୍ତାନରେ ଆୟୋଜିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନଶିପର ୪୯ କିଲୋ ବର୍ଗରେ ସେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ଚଳିତ ବର୍ଷ ଏପ୍ରିଲ୍ ମାସରେ ଚାଇନାରେ ଆୟୋଜିତ ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନଶିପରେ ସେ ୪୫ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିଲେ।