ଝାରସୁଗୁଡା ବିଜେଡିରେ ଦୀପାଳିଙ୍କୁ ଅଖଣ୍ଡ କ୍ଷମତା

ଝାରସୁଗୁଡା: ଝାରସୁଗୁଡା ରାଜନୀତିରେ ଏବେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ । କୁହାଯାଉଛି, ନବ ଯାହା କରି ପାରୁଥିଲେ ଏବେ ତାଙ୍କ ପ୍ରତିନିଧି ଭାବେ ଦୀପାଳି ମଧ୍ୟ ତାହା କରିପାରୁଛନ୍ତି । ନବ ତାଙ୍କୁ ଏଥିଲାଗି ପୂର୍ଣ୍ଣ କ୍ଷମତା ବି ଦେଇଛନ୍ତି । ତେଣୁ ଯେଉଁ ଯେଉଁ ବୈଠକ ଓ ସଭାରେ ନବ ନିଜେ ଉପସ୍ଥିତ ରହିବା କଥା ସେଥିରେ ତାଙ୍କ ପ୍ରତିନିଧି ଭାବେ ଦୀପାଳି ବସୁଛନ୍ତି ଓ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଛନ୍ତି । କିନ୍ତୁ ଏହାକୁ ଲ୍ଲ୍ା ବିଜେଡି ଶିବିରରେ କିଛି ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି । ସିଧାସଳଖ ସେମାନେ ମୁହଁ ଖୋଲିବାକୁ ସାହସ କରିପାରୁନଥିଲେ ମଧ୍ୟ ଭିତରେ ଭିତରେ ଅସନ୍ତୁଷ୍ଟ ରହୁଛନ୍ତି ଓ ମଉକା ଖୋଜୁଛନ୍ତି । ବିଦେଶରେ ଶିକ୍ଷାପ୍ରାପ୍ତ ଦୀପାଳି ରାଜନୀତିରେ ଯଦିଓ ନୂଆ, ତାଙ୍କର ନେତୃତ୍ୱ ନେବାରେ କ୍ଷମତା ଏବେଠାରୁ ବାରି ହୋଇପଡୁଛି । ଗତମାସକ ମଧ୍ୟରେ ଦୀପାଳି ରାଜନୀତିରେ କୋଲାବିରା, ଲଇକେରା ଓ କିର୍ମିରା ବ୍ଲକ ସମେତ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନକୁ ଘନଘନ ଗସ୍ତ କରିଛନ୍ତି । ବିଭିନ୍ନ ସଭା ସମିତିରେ ଉପସ୍ଥିତ ରହୁଛନ୍ତି । ଜିଲ୍ଲାର ମହିଳାଙ୍କ ଉପରେ ସେ ଅଧିକ ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି । ଲୋକଙ୍କ ସମସ୍ୟାକୁ ଶୁଣି ତାକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ଓ ଏଥିରେ ତାଙ୍କ ବାପା ମଧ୍ୟ ତତ୍କ୍ଷଣାତ୍ ସାହାଯ୍ୟ ଯୋଗାଇ ଦେଉଛନ୍ତି । ନବ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ଝାରସୁଗୁଡା ନିର୍ବାଚନମଣ୍ଡଳୀକୁ ସମୟ ଦେବାରେ ଯେଉଁ ଅସୁବିଧା ହେଉଥିଲା, ତାକୁ ଦୀପାଳି ଭରଣା କରିବାରେ ଅନେକ ପରିମାଣରେ ସଫଳ ହୋଇଛନ୍ତି । ନବଙ୍କ ପାଖରେ କାମ ଥିବା ଲୋକ ଅନାୟାସରେ ଦୀପାଳିଙ୍କୁ ଭେଟି ତାଙ୍କ ଆପତି ଅଭିଯୋଗ ଶୁଣାଇ ପାରୁଛନ୍ତି ।

କିନ୍ତୁ ଦଳରେ ଦୀପାଳିଙ୍କ ଏଭଳି ଶକ୍ତିବୃଦ୍ଧିକୁ କିଛି ନେତା ସହ୍ୟ କରିପାରୁନଥିବା ଦେଖିବାକୁ ମିଳିଛି । କଂଗ୍ରେସ ଦାଳ ଛାଡି ନବ ବିଜେଡିକୁ ଆସିବା ପରେ କିଏ ତାଙ୍କ ଅତି ପାଖ ଲୋକ ହୋଇ ରହିବ ସେ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । ଏମିତିକି କିଶୋର ମହାନ୍ତିଙ୍କ ଶିବିରରେ ଥିବା ବିଜେଡି ଲୋକ ଓ ନବଙ୍କ ଶିବିରରେ ଥିବା ବିଜେଡି ଲୋକଙ୍କ ମଧ୍ୟରେ ବି ଏକ ପରୋକ୍ଷ ଓ ଅଦୃଶ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । କିଏ ଅଧିକ କ୍ଷମତାଶାଳୀ ତାହା ଥିଲା ପ୍ରଶ୍ନ?ତେବେ ନବ ନିଜ ଝିଅଙ୍କୁ ପ୍ରତିନିଧି କରି ତାଙ୍କର ସବୁ କ୍ଷମତା ଅଜାଡି ଦେବା ପରେ ସମୀକରଣରେ କିଛିଟା ପରିବର୍ତନ ଆଭାସ ମିଳୁଛି । ନବଙ୍କ ଚାରି ପାଖରେ ଘୂରି ବୁଳିଥିବା କିଛି ଲୋକ ଦୀପାଳିଙ୍କ ଶକ୍ତିବୃଦ୍ଧିକୁ ସହ୍ୟ କରିପାରୁନାହାନ୍ତି । ନଗରପାଳ ଦୌଡରେ ପ୍ରତିଯୋଗିତା ମନୋଭାବ ନେଇ ଆଗେଇ ଯାଉଥିବା କିଛି ନେତା ଏବେ ପଛଘୁଂଚା ଦେଇଥିବା ଦେଖାଯାଇଛି । ନବ ବହୁ ପୂର୍ବରୁ ତାଙ୍କ ପୁତ୍ର ବିଶାଳଙ୍କୁ ରାଜନୀତିକୁ ଆଣିବାକୁ ଉଦ୍ୟମ କରିଥିଲେ । ନବ କଂଗ୍ରେସରେ ଥିବାବେଳେ ବିଶାଳ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ । କିଛି କଂଗ୍ରେସ ସଭାରେ ବିଶାଳ ଯୋଗଦାନ ମଧ୍ୟ କରିଥିଲେ । ବିଜେଡିରେ ମିଶିବା ପରେ ନବୀନଙ୍କ ସଭାରେ ମଧ୍ୟ ବିଶାଳ ଯୋଗ ଦେଇଥିଳେ । ନିର୍ବାଚନ ପୂର୍ବରୁ ବିଶାଳ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ବୁଲାବୁଲି କରିଥିଲେ । ମାତ୍ର ରାଜନୀତିରେ ଆଉ ବେଶି ସମୟ ନ ଦେଇ ତାଙ୍କ ବ୍ୟବସାୟରେ ବେଶି ସମୟ ଦେଇଥିଲେ । ଏଭଳି ପରିସ୍ଥିତିରେ ନବ ତାଙ୍କ ଝିଅ ଦୀପାଳିଙ୍କୁ ସିଧାସଳଖ ରାଜନୀତିକୁ ଆଣିଛନ୍ତି । ସରକାରୀ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବି ଦୀପାଳିଙ୍କ ଯୋଗଦାନ ଝାରସୁଗୁଡା ରାଜନୀତିକୁ ପ୍ରଭାବିତ କରିଛି । ତେବେ ନବଙ୍କ ଏହି ପଦକ୍ଷେପ ଭବିଷ୍ୟତରେ କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଛି ।