ଝାରସୁଗୁଡା: ବିବାହର ଦୀର୍ଘଦିନ ପର୍ଯ୍ୟନ୍ତ ବାପା ମା ଡାକ ଶୁଣିବା ଭାଗ୍ୟରେ ନଥିଲା।ଶେଷରେ ୯ ବର୍ଷ ତଳେ ଜଣେ ଅନାଥ ଶିଶୁ କନ୍ୟାକୁ ଘରେ ଆଣି ରଖିଲେ । ନିଜର ସନ୍ତାନ ଭାବେ ଲାଳନ ପାଳନ କରୁଥିଲେ ସତ । କିନ୍ତୁ ତାକୁ ଭଉଣୀ ଭାବେ ରଖିଥିଲେ।ଶେଷରେ ସେହି ଝିଅ ଟି ର ସାପ କାମୁଡାରେ ଆଜି ଜୀବନ ଗଲା। ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଇବ୍ ଥର୍ମାଲ ପମ୍ପହାଉସ ଝୁମ୍ଫୁଡିପଡାର ଜଣେ ନାବାଳିକାଙ୍କୁ ସାପ କାମୁଡିବା ଯୋଗୁଁ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣଙ୍କ ହେଲେ ମନିଷା ତିର୍କୀ (୧୪) । ଖବର ପାଇ ବନହରପାଲି ଥାନା ପୋଲିସ ମୃତଦେହ ଜବତ କରି ବ୍ୟବେଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ନେଇ ପୋଲିସ ବନହରପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ( ନଂ ୨୧/୨୦) ରୁଜୁ କରି ତଦନ୍ତ ଚଳାଇଛି । ଗତ ଶନିବାର ରାତିରେ ନାବାଳିକା ଜଣଙ୍କ ଘରେ ଶୋଇଥିବା ବେଳେ ଭୋର୍ ସାଢେ ୪ଟାରେ ତାଙ୍କ ହାତ ଓ ଗଳାକୁ କଣ କାମୁଡି ଦେଇଥିଲା । ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ ଜଣାଇଥିଲେ । ତାପରେ ପରିବାର ଲୋକ ଦେଖିଲା ବେଳକୁ ବିଛଣାରେ ଏକ ବୋଡା ସାପ ରହିଛି । ପରିବାର ଲୋକେ ସାପକୁ ମାରିଦେଇ ଆହତ ନାବାଳିକାଙ୍କୁ ପ୍ରଥମେ ଝଡାଫୁଙ୍କା ପାଇଁ ଭୁତିଆ ଗ୍ରାମକୁ ନେଇଥିଲେ । ପରେ ସେଠାରୁ ବେଲପାହାଡ ଟାଟା କ୍ରୋସାକୀ ହସପିଟାଲ୍ କୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ନାବାଳିକାଙ୍କୁ ଡାକ୍ତର ଚିକିତ୍ସା କରିଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପମ୍ପହାଉସ ଝୁମ୍ଫୁଡିପଡାର ପ୍ରଶାନ୍ତ ତିର୍କୀ ମନିଷାଙ୍କୁ ୫ ବର୍ଷ ବୟସରୁ ନିଜ ଘରେ ଆଣି ସାନ ଭଉଣୀ ଭାବେ ରଖିଥିଲେ । ସେ ତେଲେନପାଲି ସ୍କୁଲରେ ୫ମ ଶ୍ରେଣୀରେ ପଢୁଥିଲେ । ଏଭଳି ଦୁଃଖଦ୍ ଘଟଣା ଜାଣିବା ପରେ ପମ୍ପହାଉସ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି