ଝାରସୁଗୁଡା ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ; ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ପ୍ରାଥମିକ ପର୍ଯ୍ୟାୟରେ ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ଆଶାନୁରୁପକ ଚାଷ ହେବ ବୋଲି ଚାଷୀ ଆକଳନ କରିଥିବା ବେଳେ ଜୁଲାଇ ମାସରେ କମ୍ ବର୍ଷା ଓ ବର୍ତ୍ତମାନ ୟୁରିଆ ଏବଂ ଡିଏପି ସାରର ଘୋର ଅଭାବ ଚାଷୀଙ୍କ ମୁଣ୍ଡବ୍ୟଥା ପାଲଟିଛି । ଯାହାକୁ ନେଇ କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରାଯାଇଛି ।

ଚଳିତ ବର୍ଷା ଋତୁ ର ଆରମ୍ଭ ଅର୍ଥାତ୍ ଜୁନ୍ ମାସରେ ମୌସୁମୀ ବର୍ଷା ଆବଶ୍ୟକତା ଠାରୁ ଢେର୍ ଅଧିକ ଅର୍ଥାତ୍ ଶତକଡା ୭୯ ଭାଗ ଅଧିକ ବର୍ଷା । କିନ୍ତୁ ଜୁଲାଇ ମାସରେ ଶତକଡା ୨୩ ଭାଗ ବର୍ଷା କମ୍ । ତେଣୁ ଚାଷୀ ଚିନ୍ତାରେ । ଏଭଳି ସ୍ଥିତିରେ ବର୍ତ୍ତମାନ ରୁଆ ବେଉଷଣ କାର୍ଯ୍ୟ ଚାଲିଥିବା ବେଳେ ଚାଷଜମି ପାଇଁ ଆବଶ୍ୟକ ପଡୁଥିବା ୟୁରିଆ ସାର ର ଅଭାବ ଦେଖାଦେଇଛି । ଯାହାଫଳରେ ଚାଷୀ ହତାଶ ହେଲେଣି । ଝାରସୁଗୁଡା ଜିଲ୍ଲାରେ ଚଳିତବର୍ଷ ୮୨ ହଜାର ୩୬୪ ହେକ୍ଟର ଚାଷ ଜମିରେ ଚାଷ କରାଯିବାକୁ ଲକ୍ଷ ଧାର୍ଯ୍ୟ କରିଛି ଜିଲ୍ଲା କ୍ରୁଷି ବିଭାଗ ।କ୍ରୁଷିବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ନିତୀ ନିର୍ଦ୍ଧାରଣ କମିଟୀ ବୈଠକରେ ୪୯ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ, ୧୯ ହଜାର ୩୦୧ ହେକ୍ଟର ଜମିରେ ପନି ପରିବା, ୬୯୧ ହେକ୍ଟର ଜମିରେ ମାଣ୍ଡିଆ ଓ ମକ୍କା, ୪୦୪୦ ହେକ୍ଟର ଜମିରେ ତୈଳବୀଜ, ୨୨୧୩ ହେକ୍ଟର ଜମିରେ ମସଲା ଜାତୀୟ,୨୩୦ ହେକ୍ଟର ଚାଷ ଜମିରେ ଆଖୁଚାଷ, କରାଯିବାକୁ କହ୍ୟ ଧାର୍ଯ୍ୟ କରାଯାଇଛି ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀ ମାନଙ୍କୁ ଆବଶ୍ୟକ ପଡୁଥିବା ୫୭୦୦ କ୍ୱିଣ୍ଟାଲ ଧାନ ବିହନ ଯୋଗାଇ ଦିଆଯାଇ ସାରିଲାଣି । ଚଳିତ ବର୍ଷ ଜୁନ୍ ମାସରେ ମୋଟ୍ ୨୧୮ ମିଲିମିଟର ବର୍ଷା ହେବା ସ୍ଥଳେ ୩୯୩.୪୨ ମିଲିମିଟର ବର୍ଷା ଓ ଜୁଲାଇ ମାସରେ ୩୮୫.୮ ମିଲିମିଟର ସ୍ଥଳେ ୨୯୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।ଏହି ଜିଲ୍ଲାର ମୋଟ ୬୭ ପ୍ରତିଶତ ଜମିରେ ଚାଷ ପାଇଁ ବର୍ଷା ଜଳ୍ ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ ୨୭ ହଜାର ୮୮୦ ହେକ୍ଟର ଚାଷ ଜମିକୁ ଜଳ ସେଚିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ବିଗତ କିଛି ବର୍ଷରୁ ଝାରସୁଗୁଡା ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି ଜନିତ କାରଣରୁ ପ୍ରତିବର୍ଷ ମରୁଡିର ଶିକାର ହେଉଥିଲେ ଚାଷୀ । ୨୦୧୭ ମସିହାରେ ହୋଇଥିବା ମରୁଡିର କ୍ଷୟକ୍ଷତିର୍ ପ୍ରାପ୍ୟ ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି ଚାଷୀ। ତଥାପି ନିଜର ବ୍ରୁତ୍ତିଗତ ପେଷାକୁ ଆପଣେଇ ଚାଷରେ ମନୋନିବେଶ ଜାରୀ ରଖିଛନ୍ତି। ଚଳିତବର୍ଷ ଜୁନମାସାରେ ଆବଶ୍ୟକତା ଠାରୁ ଅଧିକ ୭୯ ପ୍ରତିଶତ ମୌସୁମୀ ବର୍ଷା ହୋଇଥିବାରୁ ଖରିଫ ଚାଷ ଭଲ ହେବ ବୋଲି ଚାଷୀମାନେ ଆଶା ପ୍ରକାଶ କରିବା ସହ ଖୁସୀ ବ୍ୟକ୍ତ କରିଥିଲେ । ମାତ୍ର ଜୁଲାଇ ମାସରେ ବର୍ଷାର ପରିମାଣ ହ୍ରାସ ପାଇବା ଓ ବର୍ତ୍ତମାନ ୟୁରିଆ ସାରର ଅଭାବ ଚାଷୀଙ୍କ ମଧ୍ୟରେ ହତାଶାଭାବ ଖେଳାଇ ଦେଇଛି । ଏହି ପରିସ୍ଥିତିର ମୁକାବିଲା କରିବା ସହ ୟୁରିଆ ଓ ଡିଏପି ସାରର କଳାବଜାରୀ ରୋକିବାକୁ ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟୀ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ତୁରନ୍ତ ଚାଷୀ ସମସ୍ୟା ସମାଧାନ କରିବାକୁ ଦାବୀ କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଚଳିତବର୍ଷ ଜିଲ୍ଲାରେ ୫ ହଜାର ମେଟ୍ରିକ୍ ଟନ ୟୁରିଆର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୨୯୦ ଟନ୍ ସାର ସରକାର ଯୋଗାଇ ଦେଇଛନ୍ତି । ଖୁବଶୀଘ୍ର ଆବଶ୍ୟକ ଚାହିଦା ପୁରଣ ହେବ ଓ ଚଳିତ ବର୍ଷ ଭଲ ଚାଷ ହେବ ବୋଲି କହିଛନ୍ତି ଜିଲ୍ଲା କୃଷି ବିଭାଗ ଅଧିକାରୀ ।

ପ୍ରତିବର୍ଷ ମରୁଡି ଦାଉର ଶିକାର ଚାଷୀଙ୍କୁ ବଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ନହେଲେ ସାରର କଳାବଜାରୀରେ ଚାଷୀ ଶିକାର ହେବେ ଓ ଚାଷୀ ଆତମହତ୍ୟା ଭଳି ଘଟଣା ଯେ ନ ଘଟିବ ଏହା କହି ହେବନାହିଁ ।