ଝାରସୁଗୁଡା :ଭିଜିଲାନ୍ସ ବିଭାଗ ତରଫରୁ ବୁଧବାର ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ଏକସଙ୍ଗେ ଚଢାଉ ଚାଲିଛି । ଏଥିମଧ୍ଯରେ ବ୍ରଜରାଜନଗର ପୌର କାର୍ଯ୍ଯାଳୟ,ଝାରସୁଗୁଡା ସ୍ଥିତ ସରକାରୀ ବାସଭବନ, ବଢେଇମୁଣ୍ଡା କୋଠା,ବେଲମୁଣ୍ଡା ପୈତୃକ ବାସଭବନ, ସୁନ୍ଦରଗଡ ଜିଲ୍ଲା କାଳୋବାହାଲ ଶ୍ବଶୁର ଘର,ସମାସିଂହା ନିକଟସ୍ଥ ନିର୍ମାଣଧୀନ ପେଟ୍ରୋଲ ପମ୍ପ ଆଦି ରହିଛି ।
ଏହି ଚଢାଉ ସମ୍ବଲପୁର ସ୍ପେସାଲ୍ ଭିଜିଲାନ୍ସ କୋର୍ଟ ସର୍ଚ୍ଚ ଓରେଣ୍ଟ ବଳରେ ସମ୍ବଲପୁର ଭିଜିଲାନ୍ସ ଏସ୍ ପି ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଚାଲିଛି । ଏହି ଚଢାଉ ସକାଳ ୬ଟାରୁ ଆରମ୍ଭ ହୋଇଛି । ଏଥିରେ ଝାରସୁଗୁଡା, ସୁନ୍ଦରଗଡ, ରାଉରକେଲା, ସମ୍ବଲପୁର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ବିଭାଗର ୪୦ରୁ ଊର୍ଦ୍ଧ୍ବ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଛନ୍ତି । ଏହି ଚଢାଉରେ ବହୁ ସରକାରୀ ଓ ବେସରକାରୀ କାଗଜପତ୍ର ଯାଞ୍ଚ ଚାଲିଥିବା ବେଳେ ଏହାର ସର୍ବିଶେଷ ତଥ୍ୟ ମିଳିପାରିନାହିଁ । ଏଭଳି ଅତର୍କିତ ଭିଜିଲାନ୍ସ ଚଢାଉ ଫଳରେ ଝାରସୁଗୁଡା ଜିଲ୍ଲାର କେତେକ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି ।