ବନ୍ୟାରେ ଭାଙ୍ଗି ଯାଇଥିବା ବାଗଡିହି ରୁ ଖଡ଼ିଆମାଲ ରାସ୍ତାର ପରିଦର୍ଶନ କଲେ ଜିଲ୍ଲାପାଳ

ଝାରସୁଗୁଡା : ଚଳିତ ବନ୍ୟାରେ କିର୍ମିରା ବ୍ଲକର ବାଗଡିହି ରୁ ଖଡ଼ିଆମାଲ ରାସ୍ତାରେ ପୂର୍ତ୍ତ ବିଭାଗ ଅଧିନସ୍ତ ତିରିଶ ମିଟର ଲମ୍ବର ରାସ୍ତା ଭାଙ୍ଗି ଯାଇଥିବା ବେଳେ ଆଜି ଜିଲ୍ଲାପାଳ ସରୋଜ କୁମାର ସାମଲ ଉକ୍ତ ସ୍ଥାନ ପରିଦର୍ଶନ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ରାସ୍ତା ଓ ଗୃହ ବିଭାଗ ନିର୍ବାହୀ ଯନ୍ତ୍ରୀ , କିର୍ମିରା ପଂଚାୟତ ସମିତି ଅଧ୍ୟକ୍ଷ ତେଜରାଜ ସାହୁ , ତହସିଲଦାର ମୁକୁଟମଣି ଖେସ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ ।

ଲଇକେରା ବ୍ଲକରେ ପାଣି ଘେରରେ ଥିବା ଡୁବକାବାହାଲ ଓ ଡମ୍ବପଡ଼ା ଗାଁର ନଅଟି ପରିବାରର ୩୫ ଜଣଙ୍କୁ ଦୁଖବାହାଲ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଝାରସୁଗୁଡା ବ୍ଲକରେ ଇବ ଓ ଭେଡେନ ନଦୀର ପଛୁଆ ପାଣି ଯୋଗୁ ପ୍ରଭାବିତ କୁଷ୍ଟପତ୍ରା ହେମଲେଟର ତେରଟି ପରିବାରର ୭୦ଜଣଙ୍କୁ ଇବ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ସେହିପରି କୋଲାବିରାରେ ତିନିଟି ପରିବାରର ୯ଜଣଙ୍କୁ କୋଲାବିରା ପଂଚାୟତ ସମିତି ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମାଲଦା ପଂଚାୟତରେ ଅଗ୍ନିଶମ ବିଭାଗ ଦ୍ଵାରା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ବ୍ରଜରାଜନଗର ପୌରପାଳିକାରେ ଇଟାଭଟା ଅଞ୍ଚଳର ସଇଁତିରିଶଟି ପରିବାରର ୧୪୨ଜଣଙ୍କୁ ଇଟାଭଟା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।