ମୋଦିଙ୍କ ସହ ‘ଚନ୍ଦ୍ରଯାନ-୨’ ଅବତରଣ ଦୃଶ୍ୟ ଦେଖିବେ ଡିଏଭି ଛାତ୍ର

ଝାରସୁଗୁଡା: ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ‘ଚନ୍ଦ୍ରଯାନ-୨’ । ଇସ୍ରୋର ଏହି ଐତିହାସିକ ଦୃଶ୍ୟକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦେଖିବାକୁ ସୁଯୋଗ ପାଇବେ ଝାରସୁଗୁଡାର ଡିଏଭି ଛାତ୍ର । । ୱେବସାଇଟ www.www.mygov.inରେ ସ୍ପେସ କୁଇଜ ୨୦୧୯ରେ ସର୍ବାଧିକ ନମ୍ବର ରଖି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଚିନ୍ମୟ ଚୌଧୁରୀ ।

ଝାରସୁଗୁଡା ବନ୍ଧବାହାଲ ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଚିନ୍ମୟ ଅନଲାଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଇସ୍ରୋ ଓ ପିଏମଓ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଚିନ୍ମୟଙ୍କ ଏହି ସଫଳତାକୁ ନେଇ ବାପା ଓ ମାଆ ଗର୍ବିତ ମନେ କରୁଛନ୍ତି । ବାପା ପଙ୍କଜ କୁମାର ମହାନଦୀ କୋଇଲା ଖଣିରେ ଚାକିରି କରୁଥିବାବେଳେ ମାଆ ଜଣେ ଶିକ୍ଷୟତ୍ରୀ । ସେପଟେ ତାଙ୍କର କୃତିତ୍ବ ପାଇଁ ବାପାମାଆ ଶ୍ରେୟ ଦେଇଛନ୍ତି ଚିନ୍ମୟ । ପ୍ରଧାନମନ୍ତ୍ରୀ ମୋଦି ଚନ୍ଦ୍ରାୟନ-୨ର ସଫଳ ଉତକ୍ଷେପଣ ହେବା ପରେ ତାଙ୍କର ଏକ ‘କାର‌୍ୟ୍ୟକ୍ରମ ମନ କି ବାତ’ ରେ ଏହି ପ୍ରତିଯୋଗିତା ଘୋଷଣା କରିଥିଲେ । ଅନଲାଇନ ମାଧ୍ୟମରେ ଏହି ପରୀକ୍ଷା କରାଯାଇଥିବାବେଳେ ପ୍ରତି ରାଜ୍ୟରୁ ସର୍ବାଧିକ ନମ୍ବର ରଖିଥିବା ୨ଜଣକୁ ଚୟନ କରାଯାଇଛି । ତେବେ ଏହି କୃତି ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ବେଙ୍ଗାଲୁରୁରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟନ-୨ର ସଫଳ ଅବତରଣ ଲାଇଭ ଭିଡିଓ ଦେଖିବାକୁ ପାଇବେ ।