ଝାରସୁଗୁଡା ଜିଲ୍ଲାପାଳଙ୍କୁ ନିଲମ୍ବନ ନିର୍ଦ୍ଦେଶ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାପାଳଙ୍କୁ ସସପେଣ୍ଡ ଆଦେଶ ଦେଲେ ହାଇକୋର୍ଟ। ଅଦାଲତ ଅବମାନନା ଯୋଗୁଁ ଦଣ୍ଡିତ ହେଲେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ।ହାଇକୋର୍ଟ ରେ ମାମଲା ଥିବା ସତ୍ତ୍ୱେ ବ୍ରଜରାଜନଗରର ଏକ ମଦ ଦୋକାନକୁ ନିଲାମ ଆଦେଶ ଦେଇଥିଲେ ଜିଲ୍ଲାପାଳ। ବ୍ରଜରାଜନଗରରେ ଗତବର୍ଷ କେ.ବୀଣାପାଣି ପଟ୍ଟନାୟକଙ୍କୁ ଗୋଟିଏ ବିଦେଶୀ ମଦ ଦୋକାନ ପାଈଁ ଲାଇସେନ୍ସ ମିଳିଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ସେଠାରେ ମଦ ଦୋକାନ ଖୋଲିପାରି ନଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ମଦ ରାଜସ୍ବ ବାବଦରେ ଅର୍ଥ ଜମା ଜରିବାକୁ ନିର୍ଦ୍ଦେଶ ଦେବା ପରେ ବୀଣାପାଣି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଗତ ଅପ୍ରେଲ ମାସରେ ଏକ ଆଦେଶ ଦେଇ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ଆଦେଶ ଦେଇଥିଲେ।

କିନ୍ତୁ ଗତମାସରେ ସେହି ମଦ ଦୋକାନକୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯିବା ପରେ ପୁଣି ଥରେ ବୀଣାପାଣି ହାଇକୋର୍ଟରେ ଅଦାଲତରେ ଅବମାନନା ମାମଲା ଦାଏର କରିଥିଲେ। ଗତକାଲି ହାଇକୋର୍ଟ ରେ ନିଜେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ହାଜର ହୋଇ ନିଜ ସପକ୍ଷରେ ସଫେଇ ଦେଇଥିଲେ ମଧ୍ୟ ମୁଖ୍ୟ ବିଚାରପତି ଜଷ୍ଟିସ ଜେ ଏସ ଜାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ରଙ୍କ ଖଣ୍ଡପୀଠ ସନ୍ତୁଷ୍ଟ ହୋଇ ପାରି ନଥିଲେ। ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଏହି ମାମଲାର ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ତୁରନ୍ତ ଜିଲ୍ଲାପାଳଙ୍କୁ ନିଲମ୍ବନ ପାଇଁ ଆଦେଶ ଦେଇଛନ୍ତି। ଏହି ମାମଲାରେ ଜିଲ୍ଲାପାଳ ନିଜ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।