ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେଲା ଝାରସୁଗୁଡା ବିମାନବନ୍ଦର,କେନ୍ଦ୍ରକ୍ୟାବିନେଟ ଦେଲା ମଂଜୁରୀ

ଭୁବନେଶ୍ବର  : ଝାରସୁଗୁଡା ବିମାନବନ୍ଦର ହେଲା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି ।

ଅକ୍ଟୋବର ୩୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ସେପ୍ଟମ୍ବର ୨୨ରେ ଉଦଘାଟିତ ହୋଇଥିଲା ଝାରସୁଗୁଡ଼ା ବିମାନବନ୍ଦର । ଓଡ଼ିଶାର ଦ୍ୱିତୀୟ ବିମାନବନ୍ଦରକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ସେହି ସମୟରେ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନବନ୍ଦରକୁ ନାମିତ କରାଯିବ ବୋଲି ଘୋଷଣା କରିଥିଲେ । ତେବେ ତାହା କାର୍ଯ୍ୟକାରୀ ହୋଇପାରିନଥିଲା ।

ଏଣେ ଏଠାରେ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଥିଲା । ଝାରସୁଗୁଡା ବିମାନ ବନ୍ଦରରେ ନିୟମିତ ବିମାନ ଉଡାଣ କରିବାକୁ ଅନୁରୋଧ କରିଥିଲେ ନବୀନ । ଗତ ଅକ୍ଟୋବର ୬ ତାରିଖରୁ ଏଠାରୁ ଏୟାର ଓଡିଶା ବିମାନ ଉଡାଣ କରି ନାହିଁ ବୋଲି ମୋଦିଙ୍କୁ ଅବଗତ କରାଇଥିଲେ । ଉଡାଣ ସମେତ ବାଣିଜ୍ୟିକ ବିମାନ ଉଡାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ । ଝାରସୁଗୁଡା ବିମାନବନ୍ଦର  ନାଁ ପରିବର୍ତ୍ତନ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପଟେ ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏୟାର ପୋର୍ଟ ଲୋକାର୍ପିତ ହୋିଛି ସତ । ହେଲେ ବିମାନ ଚଳା ଚଳ ହୋଇପାରିନି । ହେଲେ ଏହାର ନାଁକୁ ନେଇ ଶ୍ରେୟ ନେବାକୁ ଦୁଇ ଦଳ ବିଜେପି ଓ ବିଜେଡି ଭିତରେ ଚାଲିଛି ଟଣା ଓଟରା . ବିଜେପି ଏହାର ଶ୍ରେୟ ମୋଦିଙ୍କୁ ଦେଉଥିବାବେଳେ ବିଜେଡି ଶ୍ରେୟ ଦେଇଛି ନବୀନଙ୍କୁ ।