ଝାରସୁଗୁଡ଼ା ବିମାନ ବନ୍ଦର ଆଧୁନିକ ଓଡ଼ିଶାର ନିଦର୍ଶନ- ପ୍ରଧାନମନ୍ତ୍ରୀ

ଝାରସୁଗୁଡ଼ା  : ଶିଳ୍ପନଗରୀ ଝାରସୁଗୁଡ଼ାରେ ନବନିର୍ମିତ ବିମାନବନ୍ଦର ଓ ବିମାନ ଉଡ଼ାଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦ୍ଘାଟନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ନୂତନ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିଛନ୍ତି । ଆଧୁନିକ ଓଡ଼ିଶା, ଆଧୁନିକ ଭାରତ ଓ ଆଧୁନିକ ଭିତ୍ତିଭୂମିର ନିଦର୍ଶନ ଭାବେ ଝାରସୁଗୁଡ଼ା ବିମାନବନ୍ଦର ମୁଣ୍ଡ ଟେକିଛି ଏବଂ ଏହି ବିମାନବନ୍ଦରକୁ ଉଦ୍ଘାଟନ କରି ସେ ଗୌରବାନ୍ୱିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଠାକୁ ଆସୁଥିବା ଦେଶ ବିଦେଶର ଯାତ୍ରୀମାନେ ବୀର ସୁରେନ୍ଦ୍ର ସାଏଙ୍କ ନାମ ଶୁଣି ତାଙ୍କ ବୀରତ୍ୱର ଗାଥାକୁ ମନେ ପକାଇବେ । ଝାରସୁଗୁଡ଼ା ବିମାନବନ୍ଦର ଏବେ ଭୁବନେଶ୍ୱର-ରାଞ୍ଚିରାୟପୁର ସହରକୁ ଯୋଡ଼ି ତ୍ରିବେଣୀ ସଂଗମର ସ୍ଥାନ ପାଲଟିବ । ବହୁଦିନ ପର୍ଯ୍ୟନ୍ତ ଏହି ପ୍ରକଳ୍ପମାନ କାହିଁକି ପଡ଼ି ରହିଥିଲା ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିବା ସହ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଗୁଜରାଟର କଛ ଅଞ୍ଚଳ ମରୁଭୂମି ଆଛାଦିତ । ତଥାପି ଏହି ଜିଲ୍ଲାରେ ୫ଟି ବିମାନବନ୍ଦର ରହିଛି । କିନ୍ତୁ ଓଡିଶା ଭଳି ରାଜ୍ୟରେ ମାତ୍ର ଦୁଇଟି ବିମାନବନ୍ଦର ପ୍ରତିଷ୍ଠା ହୋଇଛି । ଉଡ଼ାଣ ଯୋଜନାରେ ଆହୁରି ଅନେକ ବିମାନବନ୍ଦର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ।

ସ୍ୱାଧୀନତାଠାରୁ ଏପର୍ଯ୍ୟନ୍ତ ଦେଶରେ ୪୫୦ଟି ଉଡ଼ାଜାହାଜ ରହିଥିଲା । ଏବେ ଗତ ପ୍ରାୟ ଏକ ବର୍ଷ ମଧ୍ୟରେ ୯୫୦ ଉଡ଼ାଜାହାଜ କ୍ରୟ କରିବା ଲାଗି ବରାଦ ହୋଇଛି । ଏଥିରୁ ଜଣାପଡୁଛି ଯେ ଦେଶରେ ବିମାନ ଚଳାଚଳ ସେବା ଉଡ଼ାଣ ଯୋଜନାରେ ବୃଦ୍ଧି ପାଇବାରେ ଲାଗିଛି । ଏହି ବିମାନବନ୍ଦର ଝାରସୁଗୁଡ଼ା, ସମ୍ବଲପୁର, ଛତିଶଗଡ଼ ଆଦି ଆଖପାଖ ଅଞ୍ଚଳରେ ପର୍ଯ୍ୟଟନ, ଶିଳ୍ପ ଓ ବେପାର ବଣିଜକୁ ବଢ଼ାଇବ । ସବ୍କା ସାଥ୍ ସବ୍କା ବିକାଶର ମହତ୍ୱ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ଉଡ଼ାଣ ଯୋଜନାରେ ଅନେକ ଅଞ୍ଚଳକୁ ଦେଶର ବିମାନ ଚଳାଚଳ ମାନଚିତ୍ରରେ ସ୍ଥାନ ମିଳିଛି । ଏହା ଆଞ୍ଚଳିକ ବୈଷମ୍ୟକୁ ଦୂର କରିବ । ପଶ୍ଚିମ ଭାରତ ବିକାଶ କ୍ଷେତ୍ରରେ ଆଗୁଆ ରହିଥବାବେଳେ ପୂର୍ବ ଭାରତକୁ ମଧ୍ୟ ତା ସହିତ ତାଳଦେଇ ଚାଲିବାକୁ ପଡ଼ିବ । ତେବେ ଏଥିଲାଗି ବିକାଶର ରାସ୍ତା ବାଛିବାକୁ ହେବ । ଆଉ ଦିନକ ପରେ ସେ ସିକିମ୍ରେ ମଧ୍ୟ ଏକ ନୂଆ ବିମାନବନ୍ଦରକୁ ଉଦ୍ଘାଟନ କରିବେ । ସେ କହିଥିଲେ ଯେ ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର ହୋଇ ରହିଛି । ଏହାର ବିନିଯୋଗ ଦ୍ୱାରା ଓଡ଼ିଶା ଓ ପୂର୍ବ ଭାରତର ବିକାଶ ସୁନିଶ୍ଚିତ ହେବ । ରେଳ ସଂଯୋଗ, ବିମାନ ସଂଯୋଗ, ସଡ଼କ ସଂଯୋଗ, ଜଳପଥ ସଂଯୋଗ ସାଙ୍ଗକୁ ସୂଚନା ହାଇୱେର ବିକାଶ ଆଧୁନିକ ଭାରତ ପାଇଁ ନିହାତି ଆବଶ୍ୟକ । ଆଦିବାସୀବହୁଳ ଅଞ୍ଚଳରେ ଏସବୁର ବିକାଶ ଦ୍ୱାରା ଆଞ୍ଚଳିକ ବୈଷମ୍ୟ ଦୂର କରାଯାଇପାରିବ ।

ଏହି ଉଦ୍ଘାଟନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ପ୍ରଧାନମନ୍ତ୍ରୀ ଆଜି ଝାରସୁଗୁଡ଼ା ବିମାନ ବନ୍ଦର, ଝାରସୁଗୁଡ଼ାରୁ ବିମାନ ଉଡ଼ାଣ, ଏନ୍ଟିପିସିର ଖଣି, ଏମ୍ସିଏଲ୍ର ଖଣି, ରେଳଲାଇନ ଉଦ୍ଘାଟନ କରିଥିବାରୁ ସେ ଅତ୍ୟନ୍ତ ଖୁସୀ । ତେବେ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏକ ପୂର୍ଣ୍ଣାଙ୍ଗ ବ୍ୟବସାୟୀକ ବିମାନ ବନ୍ଦରରେ ପରିଣତ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସେ କହିଲେ ଯେ ଉଡ଼ାଣ ଯୋଜନାରେ ବିମାନ ସହ ବ୍ୟବସାୟିକ ବିମାନ ମଧ୍ୟ ଏହି ବନ୍ଦରରୁ ଚଳାଚଳ କରୁ । ଏପରିକି ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ଝାରସୁଗୁଡ଼ା ଦେଇ ଚଳାଚଳ କରୁ । ରାଜ୍ୟ ସରକାର ଏହି ବିମାନ ବନ୍ଦର ପାଇଁ ମାଗଣାରେ ୧୨୦ ଏକର ଜମି ଓ ୭୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ରାଜ୍ୟର କୋଇଲା ରୟାଲିଟି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ପଦକ୍ଷେପ ନିଅନ୍ତୁ । ଫଳରେ ରାଜ୍ୟର ବିକାଶରେ ତାହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସମାରୋହରେ ଯୋଗଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଉଡ଼ାଣ ଯୋଜନାରେ ୫୬ ବିମାନବନ୍ଦର ଓ ୩୬ଟି ହେଲିପ୍ୟାଡ୍କୁ ବିକାଶିତ କରାଯାଉଛି ବୋଲି କହିଥିଲେ । ଏହି ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାରୋହରେ ଗର୍ଜନବାହାଲ ଓ ଦୁଲଙ୍ଗା କୋଇଲା ଖଣି ପ୍ରକଳ୍ପ ସହ ଝାରସୁଗୁଡ଼ା, ବରପାଲି, ସବ୍ଡେଗା ରେଳ ଲିଙ୍କ୍କୁ ମଧ୍ୟ ଲୋକାର୍ପଣ କରିଥିଲେ ।