ମେ’୨୫ରୁ ଝାରସୁଗଡ଼ାରୁ ଉଡ଼ିବ ବିମାନ

ଝାରସୁଗୁଡ଼ା : କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ୨ ମାସ ପର୍ଯ୍ୟନ୍ତ ବନ୍ଦ ଥିବା ବିମାନ ସେବା ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇଜେଟ ଓ ଏଲାଇନ୍ସ ଏୟାର ବିମାନ ସେବା ଆରମ୍ଭ କରିବେ। ଏଥିପାଇଁ ଉଭୟ ବିମାନ କମ୍ପାନୀ ପକ୍ଷରୁ ମେ’ ୨୫ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମୟ ସାରୀଣି ପ୍ରସ୍ତୁତ କରାଯାଇଛି। ସ୍ପାଇସ ଜେଟର ବିମାନ ପ୍ରତିଦିନ ହାଇଦ୍ରାବାଦରୁ ସକାଳ ୧୦ଟା ୩୫ରୁ ବାହାରି ୧୨ଟା ୨୫ରେ ଝାରସୁଗୁଡ଼ା ପହଂଚିବ ଓ ଝାରସୁଗୁଡ଼ାରୁ ଅପରାହ୍ଣ ୪ଟା୧୦ରେ ଉଡାଣ ଭରି ସଂଧ୍ୟା ୬ଟା୫ରେ ହାଇଦ୍ରାବାଦ ପହଂଚିବ। ସେହିପରି ଝାରସୁଗୁଡ଼ାରୁ ପ୍ରତିଦିନି ଅପରାହ୍ଣ୧୨ଟା ୪୫ରେ ଉଡ଼ାଣ ଭରି ଅପରାହ୍ଣ ୨ଟା ୫ରେ କଲିକତାରେ ପହଂଚିବ। ଅପରାହ୍ଣ ୨ଟାରେ କୋଲକତାରୁ ବିମାନ ବାହାରି ୩ଟା ୩୫ରେ ଝାରସୁଗୁଡ଼ା ପହଂଚିବ। କେବଳ ବୁଧବାରକୁ ବାଦ ଦେଲେ ଅନ୍ୟ ସବୁଦିନ ଦିଲ୍ଲୀ ବିମାନ ବନ୍ଦରରୁ ଅପରାହ୍ଣ ୧ଟା ୧୦ରେ ସ୍ପାଇସ ଜେଟର ବିମାନ ଉଡାଣ ଭରି ୨ଟା ୫୦ରେ ଝାରସୁଗୁଡ଼ା ପହଂଚିବ ଓ ଅପରାହ୍ଣ ୩ଟା୨୦ରେ ଝାରସୁଗୁଡାରୁ ଉଡାଣ ଭରି ୫ଟା ୩୫ରେ ଦିଲ୍ଲୀ ପହଂଚିବ। ଅନ୍ୟପଟେ ଏଲାଇନ୍ସ ଏୟାରର ବିମାନ ସକାଳ ୫ଟା ୫୫ରୁ କଲିକତାରୁ ଉଡ଼ାଣ ଭରି ୭ଟା ୩୫ରେ ଝାରସୁଗୁଡ଼ା ପହଂଚିବ। ଝାରସୁଗୁଡାରୁ ୮ଟା୧୦ରେ ଉଡ଼ାଣ ଭରି ୯ଟା୧୫ରେ ଭୁବନେଶ୍ୱର ପହଂଚିବ। ଭୁବନେଶ୍ୱରରୁ ପୁଣି ୯ଟା୪୫ରେ ବାହାରି ୧୦ଟା ୫୦ରେ ଝାରସୁଗୁଡ଼ା ପହଂଚିବ ଏବଂ ଝାରସୁଗୁଡ଼ାରୁ ୧୧ଟା ୩୦ରେ ବାହାରି ଅପରାହ୍ଣ ୧ଟାରେ କଲିକତା ପହଂଚିବ।

ଝାରସୁଗୁଡ଼ାରୁ ବିମାନ ଚଳାଚଳ ଆରମ୍ଭ ପାଇଁ ନିଷ୍ପତ୍ତି ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସହ ଯାତ୍ରୀଙ୍କ ପାଇଁ ନୂତନ ଗାଇଡ ଲାଇନ ମଧ୍ୟ ପ୍ରସ୍ତୁତ କରାଯାଇଛି। ସମୟ ପୂର୍ବରୁ ବିମାନବନ୍ଦର ପହଂଚି ନିଜର ସ୍ୱାସ୍ଥ୍ୟବସ୍ଥା ଯାଂଚ କରାଇବା ପାଇଁ ଯାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଂଟେନମେଂଟ ଜୋନରେ ରହିଥିବା ଲୋକଙ୍କୁ ବିମାନ ଯାତ୍ରା କରିବା ପାଇଁ ବାରଣ କରାଯାଇଛି। ଯଦି କୌଣସି ଯାତ୍ରୀ କୋରନା ପଜିଟିଭ ଚିହ୍ନଟ ହୋଇଥାଆନ୍ତି ତାଙ୍କୁ ମଧ୍ୟ ବିମାନ ଯାତ୍ରା କରିବାରୁ ବାରଣ କରାଯାଇଛି ।