ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର

ରାଞ୍ଚି : ଝାଡ଼ଖଣ୍ଡରେ ନଭେମ୍ବର ୩୦ରୁ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଜେପି ଆଜି ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ନିର୍ବାଚନୀ ଇସ୍ତାହାରରେ ବିଜେପି ଦୁର୍ନୀତି ମୁକ୍ତ ସରକାର, ଭିତ୍ତିଭୂମିର ବିକାଶ, ଦକ୍ଷତା ବିକାଶ, କୃଷକଙ୍କୁ ଋଣ ଏବଂ ବିପିଏଲ୍‌ ପରିବାରରେ ଅତି କମ୍‌ରେ ଜଣଙ୍କୁ ଚାକିରି ଦେବାପାଇଁ ପ୍ରତିଶ୍ରୁତି ଦେଇଛି। କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ଅନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେପିର ନିର୍ବାଚନୀ ଇସ୍ତାହାର ତଥା ‘ସଙ୍କଳ୍ପ ପତ୍ର’ ପ୍ରକାଶ କରିଛନ୍ତି। ବିଜେପିର ୭ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ଦ୍ବାରା ଇସ୍ତାହାର ପ୍ରସ୍ତୁତ କରାଯାଇଛି। ରାଜ୍ୟର ପ୍ରତି କୋଣ ଅନୁକୋଣ ବୁଲି ଲୋକମାନଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ ହେବାପରେ ବିଜେପି ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିବା କହିଛି। ପଛୁଆ ଏବଂ ଗରିବ ଶ୍ରେଣୀର ସ୍କୁଲ୍‌ ଛାତ୍ରମାନଙ୍କୁ ଆର୍ଥିକ ସହାୟତା ଦେବାପାଇଁ ବିଜେପି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ନବମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୨,୨୦୦ ଟଙ୍କା ଏବଂ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ପିଲାଙ୍କୁ ୭,୫୦୦ ଟଙ୍କା ସ୍କଲାରସିପ୍‌ ପାଇବେ ବୋଲି ବିଜେପିର ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି। ସେହିପରି ସ୍ବୟଂ ସହାୟକ ଗୋଷ୍ଠୀ ଚଳାଉଥିବା ଆଦିବାସୀ ମହିଳାମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ଋଣ ସହାୟତା ଦେବାପାଇଁ ପ୍ରତିଶ୍ରୁତି ଦିଆଯାଇଛି।