ଆଜି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ହେମନ୍ତ ସୋରେନ

ରାଂଚି : ଆଜି  ମୁଖ୍ୟମନ୍ତ୍ରୀ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନ ଶପଥ ଗ୍ରହଣ କରିବେ । ତାଙ୍କୁ ରାଜ୍ୟପାଳ ଦୌପଦୀ ମୁର୍ମୁ ଶପଥ ଗ୍ରହଣ କରାଇବେ । ଶପଥ ଗ୍ରହଣ ପାଇଁ ଝାଡ଼ଖଣ୍ଡର ରାଜଧାନୀ ରାଂଚିସ୍ଥିତ ମୋରାବାଡ଼ି ପଡ଼ିଆରେ ଭବ୍ୟ ସମାରୋହ ଅନୁଷ୍ଠିତ ହେବ । ତାଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସଂକଳ୍ପ ଦିବସ ବୋଲି କୁହାଯାଉଛି ।

ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ର, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ, ଏନସିପି ନେତା ଶରଦ ପାୱାର, ଆରଜେଡି ନେତା ତେଜସ୍ୱୀ ଯାଦବ, ସମାଜବାଦୀ ନେତା ତଥା ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ଜାତୀୟ ଓ ସ୍ଥାନୀୟ ନେତା ଉପସ୍ଥିତ ରହିବେ ।

ସମାରୋହରେ ବିଭିନ୍ନ ରାଜ୍ୟର ୬ ଜଣ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବାକୁ ରାଜି ହୋଇଛନ୍ତି । ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ରହିବେ । ସେହିଭଳି କାର୍ଯ୍ୟକ୍ରମରେ ଏଚଡି କୁମାରସ୍ୱାମୀ, କେସି ବେଣୁଗୋପାଳ, ଏନ ଚନ୍ଦ୍ରବାବୁ ନାଇଡୁ, ହରିଶ ରାଓତ, ଡିଏମକେ ସାଂସଦ କାଣିମୋଝୀ, ଟିଆର ବାଲୁ, ଶରଦ ଯାଦବ ଓ ଅହମଦ ପଟେଲ ଉପସ୍ଥିତ ରହିବେ ।

ସୂଚନାଯୋଗ୍ୟ ନିକଟରେ ଶେଷ ହୋଇଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୮୧ଟି ଆସନରୁ ମହାମେଂଟ୪୭ଟି ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଥିଲା । ଜେଏମଏମ ୩୦ଟି, କଂଗ୍ରେସ ୧୬ଟି ଓ ଆରଜେଡିକୁ ଗୋଟିଏ ଆସନରେ ବିଜୟ ମିଳିଥିଲା ।