ଗତ ଶନିବାର ରାତ୍ରୀରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜର ଜଣେ ଅଧ୍ୟାପିକା ହଷ୍ଟେଲ ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଅଧ୍ୟାପିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଯୁବକ ଦୁଷ୍କର୍ମ କରିଥିଲେ। ଏନେଇ ସେ ଅକ୍ଟୋବର ୩୦ରେ ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ। ମାମଲା ମଧ୍ୟ ରୁଜୁ ହୋଇଥିଲା। ହେଲେ ମାସେ ଯାଏଁ କୌଣସି ପଦକ୍ଷେପ ନନେବାରୁ ଅଭିଯୁକ୍ତର ଉପଦ୍ରବ ବଢିଥିଲା। ଦୁଷ୍କର୍ମ ବେଳର ଫଟୋ ଭାଇରାଲ କରିବା ସହ ହତ୍ୟା ଧମକ ଦେଲା ଅଭିଯୁକ୍ତ। ପୋଲିସ ନିକଟରେ ଏନେଇ ବାରମ୍ଵାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ନେଇ ନଥିବାରୁ ଅଧ୍ୟାପିକା ଜଣକ କଲେଜ ହଷ୍ଟେସଲ ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ଏବେ ପ୍ରଶାସନର ନିଦ ଭାଙ୍ଗିଛି। କର୍ତ୍ତବ୍ୟରେ ଅବହେଳା କରିଥିବା ନେଇ ଝାରପୋଖରିଆ ଥାନା ଆଇଆଇସି ଶରତ ମହାଳିକଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ଵନ କରାଯାଇଥିବା ନେଇ ଡିଜିପି ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି । ପୂର୍ବରୁ ମାମଲାର ତଦନ୍ତ ଅଧିକାରୀ ଆଏସଆଇଙ୍କୁ ନିଲମ୍ଵନ କରାଯାଇଥିଲା।
ଅପର ପକ୍ଷରେ ଅଧ୍ୟାପିକା ଜଣକ ଅଭିଯୋଗ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଅଭିଯୁକ୍ତ ଜଣକ କେନ୍ଦୁଝରର ବୋଲି ଜଣା ପଡିଛି। ତେବେ ପୋଲିସର ଏଭଳି ଅବହେଳା କାରଣରୁ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାକୁ ବିଭିନ୍ନ ମହଲରେ କଡା ସମାଲୋଚନା କରାଯାଇଛି।