ଝାଡ଼ଖଣ୍ଡରେ ୨ୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ : ୫୯.୭ ପ୍ରତିଶତ ମତଦାନ

ହିଂସାକାଣ୍ଡ ଘଟି ଜଣେ ଗ୍ରାମବାସୀଙ୍କ ମୃତ୍ୟୁ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ୨୦ଟି ଆସନରୁ ୧୮ଟି ଆସନରେ ଭୋଟ ଗ୍ରହଣ ଅପରାହ୍ନ ୩ଟାରେ ସମାପ୍ତ ହୋଇଛି | ଅପରାହ୍ନ ୩ଟା ସୁଦ୍ଧା ୫୯.୨୭ ପ୍ରତିଶତ ଭୋଟ ଗ୍ରହଣ ହୋଇଛି | ଜାମସେଦପୁର ପୂର୍ବ ଓ ପଶ୍ଚିମ ଆସନରେ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ ହେବ | ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର ପୂର୍ବ ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ତାଙ୍କ ବିପକ୍ଷରେ ସରୟୁ ରାୟ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।

ରାଜ୍ୟ ବିଧାନସଭା ଅଧ୍ୟକ୍ଷ ଦିନେଶ ଅର୍ଣ୍ଣବଙ୍କ ସହ ଜେଏମଏମ ପ୍ରାର୍ଥୀ ଜିଘା ଶୁସରନ ସାମ୍ନା କରିଛନ୍ତି । ସେହି ଆସନରେ ଦିନେଶ ଅର୍ଣ୍ଣବ ୨୦୧୪ରେ ବିଜୟୀ ହୋଇଥିଲେ । ମତଦାନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା । ମତଦାନ କେନ୍ଦ୍ରଗୁଡିକରେ ପୁଲିସ ମୁତୟନ କରଯାଇଛି । ତେବେ ଶିଶାଇ ଅଂଚଳରେ ସୁରକ୍ଷାକର୍ମୀ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା | ଏଥିରେ ପୁଲିସ ଗୁଳିରେ ଜଣେ ଗ୍ରାମବାସୀଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଥିଲେ |

ସୂଚନା ମୁତାବକ ଝାଡଖଣ୍ଡ ବିଧାନସଭା ୮୧ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ୫ଟି ପର୍ଯ୍ୟାୟରେ ଏଠାରେ ମତଦାନ ହେବ । ଡିସେମ୍ବର ୨୦ରେ ଶେଷ ମତଦାନ ହେବ ଏବଂ ଡିସେମ୍ବର ୨୩ରେ ଫଳାଫଳ ଘୋଷଣା କରାଯିବ ।