ଜେଡିଏସ ଏବଂ କଂଗ୍ରେସର ୮ ଜଣ ବିଧାୟକଙ୍କ ଇସ୍ତଫା

କର୍ଣ୍ଣାଟକ: କର୍ଣ୍ଣାଟକ ମେଣ୍ଟ ସରକାରକୁ ଜବଦଦସ୍ତ ଝଟକା। ଉଭୟ ଜେଡିଏସ ଏବଂ କଂଗ୍ରେସର ମୋଟ୍ ୮ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇଥିବା ସୂଚନା ରହିଛି। ସରକାରକୁ ବଞ୍ଚାଇବା ପାଇଁ ଏବେ ଶାସକ ଦଳ ଜୋରଦାର ପ୍ରୟାସ କରୁଛି। କଂଗ୍ରେସ ମହାସଚିବ କେକେ ବେଣୁଗୋପାଳ ଏବେ ଦିଲ୍ଲୀରୁ କର୍ଣ୍ଣାଟକା ଯାଉଛନ୍ତି ବୋଲି ସୂଚନା ରହିଛି। ବାଚସ୍ପତିଙ୍କୁ ଏହି ୮ ବିଧାୟକ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । କିନ୍ତୁ ବାଚସ୍ପତି ନଥିବାରୁ ଇସ୍ତଫା ଗ୍ରହଣ ହୋଇ ପାରିନି। ଆଠ ବିଧାୟକଙ୍କ ମଧ୍ୟରେ କଂଗ୍ରେସର ୫ ଓ ଜେଡିଏସର ୩ ଜଣ ବିଧାୟକ ରହିଛନ୍ତି। ଇସ୍ତଫା ପଛର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ଜୁଲାଇ ପହିଲାରେ ବେଲଗଭି ଜିଲ୍ଲାର ବିଜୟନଗର କଂଗ୍ରେସ ବିଧାୟକ ଆନନ୍ଦ ସିଂହ ଏବଂ ଗୋକକ କଂଗ୍ରେସ ବିଧାୟକ ରମେଶ ଜାରକିହୋଲି ସରକାରଙ୍କ ଶିଳ୍ପ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିଲେ। ଏହି ଦୁଇ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସ ପାଖରେ ୭୭ ବିଧାୟକ ଏବଂ ଜେଡିଏସ ପାଖରେ ୩୭ ଜଣ ବିଧାୟକ ଥିଲେ। ୨୦୧୮ରେ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ମୋଟ ୨୨୫ ଆସନରୁ କଂଗ୍ରେସ ୮୦ଟି ଆସନ, ଜେଡିଏସ ୩୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଜଣେ ସ୍ୱାଧୀନ ପ୍ରାର୍ଥୀ ସହ ୧୦୫ଟି ଆସନରେ ବିଜୟୀ ହୋଇଥିଲା। ସରକାର ଗଢ଼ିବା ପାଇଁ ୧୧୩ ରହିଛି ମ୍ୟାଜିକ ନମ୍ୱର।

କଂଗ୍ରେସ ଓ ଜେଡିଏସ ପାଖରେ ମୋଟ ୧୧୪ ଜଣ ବିଧାୟକ ରହିଛନ୍ତି।  ଯଦି ଏବେ ଏହି ୮ ବିଧାୟକଙ୍କ ଇସ୍ତଫା ଗୃହୀତ ହୁଏ ତାହାଲେ ମେଣ୍ଟ ସରକାରର ସଂଖ୍ୟା ଆସି ୧୦୬ରେ ପହଞ୍ଚିବ। ଏହି ସମୟରେ ବିରୋଧୀ ଦଳ ବିଜେପି ଯଦି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ପ୍ରମାଣ ମାଗେ ତାହଲେ ମେଣ୍ଚ ସରକାର ପାଖରେ ମୋଟ ୧୦୬ ଜଣ ବିଧାୟକ ରହିବେ। ଯାହାକି ମ୍ୟାଜିକ ନମ୍ୱରଠୁ ଦୂରରେ। ଏହି ସ୍ଥିତିରେ ଝୁଲା ବିଧାନସଭା ସ୍ଥିତି ଉପୁଜିବାର ସମ୍ଭାବନା ରହିଛି ଏବଂ ଆଗାମୀ ଦିନରେ ରାଷ୍ଟ୍ରପତି ଶାସନ ମଧ୍ୟ ଲାଗୁ ହୋଇପାରେ।

ପୂର୍ବତନ ମୁଖ୍ୟମନ୍ତ୍ରପୀ ୟେଦ୍ଦୁରପ୍ପା ଏ ନେଇ ପ୍ରତିକ୍ରିୟାରେ କହିଛନ୍ତି ତାଙ୍କ ପାଖରେ ୧୦୫ ବିଧାୟକ ରହିଛନ୍ତି। ଯଦି ୮ ବିଧାୟକ ଇସ୍ତଫା ଦିଅନ୍ତି ତାହେଲେ ନିର୍ବାଚନ ହେବାର ପ୍ରଶ୍ନ ଉଠୁନି। ବିଜେପି ପାଖରେ ୧୦୫ ବିଧାୟକ ରହିଥିବାରୁ ସରକାର ଗଢ଼ିବା ଥୟ। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା କହିଛନ୍ତି ସରକାର ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବେ। ନିକଟରେ ମଧ୍ୟ ମେଣ୍ଟ ସରକାରରେ ଅସନ୍ତୁଷ୍ଟ ବିଧାୟକଙ୍କୁ ସନ୍ତୁଷ୍ଟ କରିବା ପାଇଁ ମେଣ୍ଟ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରାଣ କରିଥିଲେ।