ଉଡାଣ ଅଡୁଆ : ଆଜି ବୈଜୟନ୍ତ ଥାନାରେ ହାଜର ହେବେ !

ପୁରୀ: ବେଆଇନ ହେଲିକ୍ୟାପଟର ଉଡାଣ ଘଟଣାରେ ଆଜି ଥାନାରେ ହାଜର ହେବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ! ଆଜି ୧୨ ଟା ସୁଦ୍ଧା ହାଜର ହୋଇ ଉଡାଣ ସଂପର୍କୀତ ତଥ୍ୟ ରଖିବାକୁ ନୋଟିସ ଜାରି କରିଛି ପୁରୀ ପୋଲିସ । ଗତ ୧୫ତାରିଖ ଦିନ ଚିଲିକାର ନୋ ଫ୍ଲାଇଙ୍ଗ ଇକୋ ସେନସିଟିଭ୍ ଜୋନରେ ବନ୍ୟ ପ୍ରାଣୀ ସୁରକ୍ଷା ଆଇନକୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ହେଲିକପ୍ଟର ଉଡ଼ାଇବା ଘଟଣାରେ ପୁରୀ ପୁଲିସ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କର ଦୁଇଜଣ ବନ୍ଧୁଙ୍କୁ ନୋଟିସ ଜାରି କରିଛି । ଆଜି ପଚରାଉଚରା ପାଇଁ ପୁଲିସ୍ ଡାକିଥିଲେ ମଧ୍ୟ ସେମାନେ ନଆସିବାରୁ ତଦନ୍ତ ଅଧିକାରୀ ଭୁବନେଶ୍ୱର ଯାଇ ଇମ୍ଫା କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ ନୋଟିସ ଜାରି କରିଛନ୍ତି ।

ଆଜିି ମଧ୍ୟାହ୍ନ ୧୨ଟାରେ ସେମାନେ ଆସି ଘଟଣା ସମ୍ପର୍କରେ ସଦର ଥାନା ଅଧିକାରୀଙ୍କ ସମ୍ମୁଖରେ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଛି । ପୁରୀ ଶ୍ରୀମନ୍ଦିର, କୋଣାର୍କ ମନ୍ଦିର ଓ ବାଲୁଖଣ୍ଡ ଅଭୟାରଣ୍ୟ ଉପରେ ମଧ୍ୟ ହେଲିକପ୍ଟର ଉଡ଼ାଇବାର ତଦନ୍ତ କରାଯିବ ବୋଲି ଏସପି ଡା. ସାର୍ଥକ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡା. ଷଡ଼ଙ୍ଗୀ ପ୍ରକାଶ କରିଥିଲେ ଯେ ିଲିକା ଉପରେ ଉଡ଼ାଣ କରିଥିବା ହେଲିକପ୍ଟରଟି ରାଜହଂସର ଅରଖକୁଦା ଯାଇ ସେଠାରେ ଚିଲିକା ଉପରେ ଅବତରଣ କରିଥିଲା । ଏ ସଂକ୍ରାନ୍ତରେ ଗତକାଲି ଇମ୍ଫା କମ୍ପାନୀର ହ୍ୟାଙ୍ଗର ସିଜ୍ କରାଯାଇଥିଲା । ଏୟାରପୋର୍ଟ ଅଥରିଟିଙ୍କୁ ଏ ସଂକ୍ରାନ୍ତରେ ପଚରାଯିବାରୁ ସେ କହିଥିଲେ ଯେ ସକାଳ ସାଢ଼େ ୮ଟାରୁ ସାଢ଼େ ଗୋଟାଏ ମଧ୍ୟରେ କେବଳ ଗୋଟିଏ ହେଲିକପ୍ଟରକୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି । ସ୍ଥାନୀୟ ଅଧିବାସୀ ଓ ପର୍ଯ୍ୟଟକମାନଙ୍କୁ ପଚରାଉଚୁରା କରିବାରେ ସେହି ସମୟ ମଧ୍ୟରେ ସମ୍ପୃକ୍ତ ହେଲିକପ୍ଟରଟି ଚିଲିକାରେ ଥିଲା ବୋଲି ଜଣାପଡ଼ିଥିଲା । ମୁହାଣ ନିକଟରେ ପର୍ଯ୍ୟଟକମାନେ ଡଲ୍ଫିନ ଦେଖୁଥିବା ବେଳେ ହେଲିକପ୍ଟରଟି ପାଣି ଉପରେ ଓହ୍ଲାଇଥିବା ପର୍ଯ୍ୟଟକମାନେ ପ୍ରକାଶ କରିଛନ୍ତି । ପର୍ଯ୍ୟଟକଙ୍କ ବୟାନ ଭିଡିଓ ରେକଡିଂ କରାଯାଇଛି । ସିଡିଏ ମଧ୍ୟ ଏ ସଂକ୍ରାନ୍ତରେ ପୁଲିସ୍କୁ ଅବଗତ କରାଇବା ସହିତ ମେରାଇନ୍ ଥାନାରେ ଏତଲା ଦେଇଥିଲେ ।

ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟର ଧାରା ୫୧ ଓ ଭାରତୀୟ ଦଣ୍ଡବିଧି ଆଇନ୍ର ଧାରା ୨୭୭, ୨୭୮ ଓ ୨୭୯ରେ ହେଲିକପ୍ଟରର ପାଇଲଟ ଏବଂ ଦୁଇଜଣ ସହଯାତ୍ରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏୟାରପୋର୍ଟ ଅଥରିଟିଙ୍କୁ ବୈଜୟନ୍ତ ପଣ୍ଡା ଓ ତାଙ୍କର ଦୁଇ ସହଯାତ୍ରୀଙ୍କ ସମ୍ପୂର୍ଣ୍ଣ ଠିକଣା ମଗାଯାଇଥିଲା । ଇମ୍ଫା କାର୍ଯ୍ୟାଳୟ ତରଫରୁ ଏୟାରପୋର୍ଟ ଅଥରିଟିଙ୍କୁ କେବଳ ନାମ ଦିଆଯାଇଥିବାରୁ ସେମାନେ ଠିକଣା କହିପାରି ନାହାଁନ୍ତି । ଦୁଇ ସହଯାତ୍ରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ; ଯେହେତୁ ଜଣେ ସହଯାତ୍ରୀଙ୍କର ସୋସିଆଲ ମିଡ଼ିଆରେ କେତେକ ଭିଡିଓ ଚିତ୍ର ରହିଥିଲା । ଚିଲିକା ବାୟୋ ଡାଇଭରସିଟି ଏରିଆ ଓ ସେଠାରେ ଡଲଫିନ ଭଳି ସିଡ୍ୟୁଲ ୱାନ ଜୀବଜନ୍ତୁ ରହୁଥିବାରୁ ସେଠାରେ ହେଲିକପ୍ଟରର ଲ୍ୟାଣ୍ଡିଂ ପାଇଁ ଅନୁମତି ନଥିଲା କିମ୍ବା ପାଣି ଉପରେ ଚାଲିବା ପାଇଁ ଅନୁମତି ମିଳି ନଥିଲା । ୫ ଶହ ଫୁଟ ଉଚ୍ଚରେ ଉଡ଼ିବା ପାଇଁ ଅନୁମତି ମିଳିଥିଲା । ଯାହାକୁ ଶ୍ରୀ ପଣ୍ଡା ଉଲ୍ଲଙ୍ଘନ କରିଛନ୍ତି ।

ଚିଲିକାର ବାଘମୁଣ୍ଡା, ପିରିଜପୁର ଅଞ୍ଚଳର ଅଧିବାସୀମାନଙ୍କ ଠାରୁ ମଧ୍ୟ ପୁଲିସ ପଚରାଉଚୁରା କରି ତଥ୍ୟ ସଂଗ୍ରହ କରିଛି । ଏସପି ସୂଚନା ଦେଇଥିଲେ ଯେ ନିୟମାନୁସାରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ର ଅନୁମତି ନେଇ ବିମାନର ଉଡ଼ାଣ କରାଯିବା କଥା । ଭୁବନେଶ୍ୱରରୁ ବ୍ରହ୍ମପୁର ଦେଇ ପୁରୀ-କୋଣାର୍କ ଅଞ୍ଚଳରେ ଚଳାଚଳ ପାଇଁ ଏୟାର ଡିଫେନ୍ସ ପକ୍ଷରୁ ତାଙ୍କୁ ଅନୁମତି ମିଳିଥିଲା । ମାତ୍ର ଚିଲିକାରେ ଏହି ହେଲିକପ୍ଟର ଅବତରଣ କରିଥିବା ଜଣାଯାଇଛି । ଚିଲିକାବାସୀଙ୍କ କହିବା ଅନୁଯାୟୀ ସକାଳ ୯ଟା ୩୦ରୁ ୧୦ଟା ମଧ୍ୟରେ ଧଳାରଙ୍ଗ ବିଶିଷ୍ଟ ହେଲିକପ୍ଟରଟି ଅବତରଣ କରିଥିଲା । ଏଥିରେ ଗ୍ଲାଇଡର ଥିଲା । ଶ୍ରୀ ପଣ୍ଡାଙ୍କୁ ମିଳିଥିବା ଅନୁମତି ପତ୍ର ମଧ୍ୟ ପୁଲିସ ଜବତ କରିଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ ଠାରୁ ତଥ୍ୟ ମଗାଯାଇଛି । ତଥ୍ୟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।