ଜମ୍ମୁ କଶ୍ମୀର: ଉଦ୍ଦାମପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବେଟି ବଚାଓ, ବେଟି ପଢ଼ାଓ ଅଭିଯାନ ଶୁଭାରମ୍ଭ

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକ ସାଧାରଣରେ ଗ୍ରହଣୀୟ ହୋଇପାରିଛି । ବିଗତ ୨୨ ଦିନରେ ମଧ୍ୟ ଜମ୍ମୁକଶ୍ମୀର ସ୍ଥିତିରେ ଅନେକ ପରିବର୍ତ୍ତନ ଦେଖାଯାଇଛି । ରାଜ୍ୟରେ ପୂର୍ବ ତୁଳନାରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି । ଏଭଳି ପରୀପ୍ରେକ୍ଷିରେ ଉଦ୍ଦାମପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନ ସୋମବାର ଶୁଭାରମ୍ଭ କରାଯାଇଛି । କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସମସ୍ତ ଜିଲ୍ଲା ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ଯୋଜନାର କର୍ମକର୍ତ୍ତା ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ । 

ଏମଜି ମେଡିକାଲ (ଉତ୍ତର) କମାଣ୍ଡର ମେଜର ଜେନେରାଲ ମାଧୁରୀ କାନିତକର ମୁଖ୍ୟ ଅତିଥିବ ଭାବେ ଅଭିଯାନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେହିଭଳି ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଡେପୁଟି କମିଶନର ଡ. ପିୟୁଷ ସିଂହଲ ଅତିଥି ଥିଲେ । ପ୍ରତିରକ୍ଷା ଉତ୍ତର କମାଣ୍ଡର ଲୋକସଂପର୍କ ଅଧିକାରୀ ଲେଫ୍ଟାନଣ୍ଟ କୋଲୋନେଲ ଅଭିନବ ନବନୀତ ସ୍ୱତନ୍ତ୍ର ଅତିଥି ଥିଲେ । 

ଏହି ଅବସରରେ ସ୍ଥାନୀୟ ଘରୋଇ ସଂସ୍ଥା ‘ଜିନେ ଦୋ’ ପକ୍ଷରୁ ହେଲ୍ପଲାଇନ ନମ୍ବର (୯୪୬୯୭୯୩୩୬୩) ଜାରି କରାଯାଇଥିଲା । ସାଧାରଣ ଲୋକଙ୍କୁ ଜାଗ୍ରତ କରାଇବା ଲକ୍ଷ୍ୟ ନେଇ ବସଷ୍ଟାଣ୍ଡ, ସ୍କୁଲ ଓ ହସ୍ପିଟାଲରେ ‘ବେଟି ବଚାଓ, ବେଟି ପଢ଼ାଓ’ ରଥ ବୁଲିଥିଲା । କାର୍ଯ୍ୟକ୍ରମରେ ୪୦ ଜଣ ଯୁବକକୁ ‘ଯୁବ ବାହିନୀ’ ଭାବେ ଘୋଷଣା କରାଯାଇଥିଲା । ସେହିଭଳି ୨୦ ଜଣ ବାଳିକାଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଥିବା ବେଳେ ୧୦ ଜଣ ନବଜାତ ଶିଶୁ କନ୍ୟାକୁ ମମତା କିଟ ଉପଲବ୍ଧ କରାଯାଇଥିଲା ।