ନଜରବନ୍ଦୀରୁ ମୁକ୍ତ ହେଲେ ଜାମ୍ମୁ କାଶ୍ମୀରର ୩ ନେତା

ଶ୍ରୀନଗର :ଜାମ୍ମୁ କାଶ୍ମୀରରୁ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ କରି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହଟାଇବା ପରେ ବହୁ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନଜରବନ୍ଦୀ କରି ରଖାଯାଇଥିଲା। ତେବେ ଆଜି ୩ ଜଣ ନେତାଙ୍କୁ ମୁକ୍ତ କରାଯାଇଛି। ୟାବର ମୀର, ନୂର ମହମ୍ମଦ ଏବଂ ଶୋଏବ ଲୋନଙ୍କୁ ମୁକ୍ତ କରାଯାଇଛି।

ୟାବର ମୀର ରାଫିୟାବାଦ ବିଧାନସଭା ଆସନର ପୂର୍ବତନ ବିଧାୟକ ଥିଲେ। ଶୋଏବ ଲୋନ କଂଗ୍ରେସ ଟିକେଟରୁ ଉତ୍ତର କାଶ୍ମୀରରୁ ନିର୍ବାଚନ ଲଢି ପରାଜୟ ବରଣ କରିଥିଲେ। ଏହାପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତାଙ୍କୁ ପିପୁଲ୍ସ କନଫରେନ୍ସର ପ୍ରମୁଖ ସଜ୍ଜାଦ ଲୋନଙ୍କ ନିକଟସ୍ଥ ବୋଲି କୁହାଯାଉଛି। ସେହି ସମୟରେ ନୂର ମହମ୍ମଦ ନ୍ୟାସନାଲ କନଫରେନ୍ସର ଜଣେ କାର୍ଯ୍ୟକର୍ତ୍ତା। 

ତେବେ ମୁକ୍ତ ହେବା ପୂର୍ବରୁ ଅଧିକାରୀମାନେ ଶାନ୍ତି ରକ୍ଷାକରି ଉତ୍ତମ ବ୍ୟବହାର କରିବେ ବୋଲି ହସ୍ତାକ୍ଷର ସ୍ଵାକ୍ଷର କରିଛନ୍ତି। ଏହାପୂର୍ବରୁ ରାଜ୍ୟପାଳ ପ୍ରଶାସନ ପିପୁଲ୍ସ କନଫରେନ୍ସର ଇମରାନ ଅଂସାରୀ ଓ ସୈୟଦ ଅଖୂନଙ୍କୁ ସ୍ଵାସ୍ଥ୍ୟବସ୍ଥା କାରଣରୁ ସେପ୍ଟେମ୍ବର ୨୧ରେ ମୁକ୍ତ କରାଯାଇଥିଲା। 

ଜାମ୍ମୁ କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ କରାଯାଇ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି। ଅଗଷ୍ଟ ୫ରେ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ନେତା, ବିଚ୍ଛିନ୍ନତାବାଦୀ ନେତା, କାର୍ଯ୍ୟକର୍ତ୍ତା ଏବଂ ଓକିଲଙ୍କ ସମେତ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବହୁ ପ୍ରମୁଖ ନେତା ମଧ୍ୟ ଥିଲେ। ଯଥା- ଫାରୁଖ ଅବଦ୍ଦୁଲ୍ଲା, ଉମର ଅବଦ୍ଦୁଲ୍ଲା, ମେହବୁବା ମୁପ୍ତି ସାମିଲ ଅଛନ୍ତି। ପାଖାପାଖି ୨୫୦ରୁ ଅଧିକ ଲୋକଙ୍କୁ ରାଜ୍ୟ ବାହାରେ ଥିବା ଜେଲରେ ରଖାଯାଇଛି।