ଜମ୍ମୁ କଶ୍ମୀରରେ ଉଚ୍ଛେଦ ହେଲା ବିଧାନ ପରିଷଦ

ଶ୍ରୀନଗର: ଜମ୍ମୁ କଶ୍ମୀର ଚଳିତ ମାସରେ ହିଁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ୬୨ ବର୍ଷ ପୁରୁଣା ଜମ୍ମୁ କଶ୍ମୀର ବିଧାନ ପରିଷଦକୁ ସରକାର ଉଚ୍ଛେଦ କରିଛନ୍ତି। ଏହାର ସମସ୍ତ କର୍ମଚାରୀ ଏବଂ ସଚିବଙ୍କୁ ଆଜି ଏ ବାବଦରେ ଅବଗତ କରାଯିବା ସହ ସାଧାରଣ ପ୍ରଶାସନ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଛି। ଆସନ୍ତା ୩୧ ତାରିଖ ଦିନ ବିଧାନ ପରିଷଦ ଭଙ୍ଗ ହେବା ସହ ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ ଏବଂ ଏହାର ବିଧାନସଭା ମଧ୍ୟ ରହିବ। ଏହା ପୂର୍ବରୁ ଆଜି ବିଧାନ ପରିଷଦର ୧୧୬ କର୍ମଚାରୀଙ୍କୁ ସେମାନଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ସୂଚିତ କରାଯାଇଛି। ୧୯୫୭ ମସିହାରେ ୩୬ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନ ପରିଷଦ ଗଠନ ହୋଇଥିଲା ଏବଂ ଏହା ୮୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଉଚ୍ଚ ସଦନ ଭାବେ କାର୍ଯ୍ୟ କରୁଥିଲା।