ରାଜୌରି: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ରାଜୌରି ଜିଲ୍ଲାର ପ୍ରଥମ ଗୁଜ୍ଜର ଝିଅ ଭାବେ ସମ୍ମାନଜନକ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ‘ଏମ୍ସ୍’ରେ ଏମ୍ବିବିଏସ୍ ପଢ଼ିବା ଲାଗି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଇର୍ମିମ୍ ଶମିମ୍। ଇର୍ମିମ୍ ଗତ ଜୁନ୍ ମାସରେ ପ୍ରବେଶିକା ପରୀକ୍ଷା ଦେଇଥିଲେ।
ସୀମାନ୍ତ ଜିଲ୍ଲା ଅନ୍ତର୍ଗତ ଧାନୋର୍ ଗ୍ରାମର ଇର୍ମିମ୍ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରି ଏହି ସମ୍ମାନଜନକ ପ୍ରତିଷ୍ଠାନରେ ପଢ଼ିବା ପାଇଁ ଯୋଗ୍ୟା ହୋଇଛନ୍ତି। ତାଙ୍କ ଗ୍ରାମର ଆଖପାଖରେ ଉତ୍ତମ ବିଦ୍ୟାଳୟ ନ ଥିବାରୁ ପ୍ରତିଦିନ ପଢ଼ିବା ପାଇଁ ତାଙ୍କୁ ଚାଲି ଚାଲି ୧୦ କିଲୋମିଟର ଦୂର ସ୍କୁଲ୍କୁ ଯିବାକୁ ପଡୁଥିଲା। ପଛୁଆ ସମ୍ପ୍ରଦାୟ ହେବା ସହ ଅସ୍ୱଚ୍ଛଳ ଆର୍ଥିକ ପରିସ୍ଥିତି ସହ ଲଢ଼ି ଇର୍ମିମ୍ ସମସ୍ତ ଚାଲେଞ୍ଜ୍ର ମୁକାବିଲା କରିଥିଲେ। ସେ କହନ୍ତି: ସମସ୍ତଙ୍କ ଜୀବନରେ ସମସ୍ୟା ରହିଛି। ସେ ସବୁ ସହ ଲଢ଼ିଲେ ସଫଳତା ନିଶ୍ଚୟ ଜଣକ ପାଖକୁ ଆସିବ। ତାଙ୍କର ସଫଳତା ଯୋଗୁଁ ତାଙ୍କ ପରିବାରର ସମସ୍ତେ ଖୁସି। ଜଣେ ସଫଳ ଡାକ୍ତରାଣୀ ହୋଇ ସେ ଜମ୍ମୁ ଓ କଶ୍ମୀରବାସୀଙ୍କ ସେବା କରିବା ସହ ସମଗ୍ର ଦେଶବାସୀଙ୍କ ସେବା କରିବା ସେମାନେ ଦେଖିବାକୁ ଚାହାନ୍ତି।
ଜିଲ୍ଲା ବିକାଶ କମିସନର ଏଜାଜ୍ ଅସଦ ତାଙ୍କର କୃତ୍ୱିତ୍ୱକୁ ପ୍ରଶଂସା କରି କହିଛନ୍ତି କି, ଭବିଷ୍ୟତରେ ତାଙ୍କର ପଢ଼ା ଚାଲୁ ରଖିବାକୁ ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ।