ଜାମିଆ ବିଶ୍ୱବିଦ୍ୟାଳୟ ମାମଲା: ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କଲେ

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ଏବଂ ଅଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ଲାଗିଥିବା ହିଂସା ମାମଲାକୁ ନେଇ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ । ତେବେ ଆବେଦନକାରୀଙ୍କୁ ହାଇକୋର୍ଟ ଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଆମ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ । ଏହା ଆଇନ ଏବଂ ବ୍ୟବସ୍ଥାର ସମସ୍ୟା, ବସ କେମିତି ଜଳିଲା ? ପ୍ରଧାନ ବିଚାରପତି କହିଛନ୍ତି ଯେ ଏହି ମାମଲା ହାଇକୋର୍ଟକୁ କାହିଁକି ନିଆ ଗଲାନି?

ଜାମିଆ ଏବଂ ଏଏମୟୁ ଛାତ୍ରଙ୍କ ଓକିଲ ଇନ୍ଦିରା ଜୟ ସିଂହ କହିଛନ୍ତି ଏକାଧିକ ରାଜ୍ୟର ମାମଲା ଏହି କାରଣରୁ ଏହାର ଏସଆଇଟି ତଦନ୍ତ ଦରକାର । କୋର୍ଟ ଏହି ମାମଲାକୁ କିପରି ଅଣଦେଖା କରିପାରିବ । କୋର୍ଟ ତେଲଙ୍ଗାନା ଏନକାଉଂଟର ମାମଲାରେ ମଧ୍ୟ ଶୁଣାଣି କରିଥିଲେ । ଆମେ ଏହି ମାମଲାରେ ମଧ୍ୟ ଏହିପରି ନିର୍ଦ୍ଦେଶ ଚାହୁଁଛୁ ।

ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି, ତେଲଙ୍ଗାନା ମାମଲାରେ ଗୋଟିଏ ଆୟୋଗ ଗଠନ କରି ତଦନ୍ତ କରାଯାଇପାରି ଥାନ୍ତି, କିନ୍ତୁ ଏହି ମାମଲାରେ କୌଣସି କମିଟି ହିଁ ଗଠନ ହୋଇନି ଯାହା ସାରା ଦେଶର ମାମଲାକୁ ଦେଖି ପାରିବ ।

ଏହାସହ ସୁପ୍ରିମକୋର୍ଟ କହିଛନ୍ତି, ଆମେ ପୁଲିସକୁ ଏଫଆଇଆର ରୁଜୁ କରିବାକୁ ରୋକି ପାରିବୁନି । କେହି ଆଇନ ହାତକୁ ନେଲେ ପୁଲିସ କଣ କରିପାରିବ । କୋର୍ଟ କହିଥିଲେ ଆପଣ ଏହି ମାମଲାକୁ ନେଇ ହାଇକୋର୍ଟ ଯାଇପାରିବେ ।