ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପାଇପ୍ ଜଳଯୋଗାଣ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ରେଳବାଇ ଅଡିଟୋରିଅମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ଯେ, ପରିବାରର ସ୍ୱାସ୍ଥ୍ୟ ପ୍ରତି ମା’ମାନେ ଅଧିକ ଯତ୍ନବାନ ଥାଆନ୍ତି ଏବଂ ଭଲ ପିଇବା ପାଣି ଉତମ ସ୍ୱାସ୍ଥ୍ୟ ସହିତ ସମ୍ପର୍କ ରହିଛି । ତେଣୁ ପିଇବା ପାଣିର ପରିଚାଳନା ଦାୟିତ୍ୱ ମା’ମାନଙ୍କୁ ଦିଆଯିବା ଏକ ପ୍ରଂଶନୀୟ ପଦକ୍ଷେପ । ମହିଳାମାନଙ୍କର ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହଠାରୁ ଆରମ୍ଭ କରି ଛତୁଆ ଯୋଗାଣ, ବିଦ୍ୟୁତ୍ ମିଟ ରିଡିଙ୍ଗ ପରି ଅନେକ ଦାୟିତ୍ୱ ଦେଇଛନ୍ତି । ସେମାନେ ମଧ୍ୟ ସଫଳତାର ସହ ନିର୍ବାହ କରୁଛନ୍ତି । ତେଣୁ ଜଳସାଥୀ ଭାବରେ ମା’ମାନେ ଲୋକଙ୍କ ବିଶ୍ୱାସ ଓଭରସା କରିବା ସହିତ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ । ପ୍ରତି ପରିବାରରୁ ପାଇପ୍ ପାଣି ଯୋଗାଣ କାର୍ଯ୍ୟକ୍ରମକୁ ଜଳସାଥୀମାନେ ସଫଳତାର ସହ ଆଗେଇ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଳସାଥୀମାନଙ୍କୁ ଜଳର ମାନ ପରୀକ୍ଷା କିଟ୍ ଓ ପିଓଏସ୍ ମେସିନ୍ ବଂଟନ କରିଥିଲେ । ଜଳସାଥୀମାନେ ଘରକୁ ଘର ବୁଲି ଲୋକଙ୍କୁ ନୂତନ ଜଳ ସଂଯୋଗ ଦେବାରେ ସାହାଯ୍ୟ କରିବେ । ମାସକୁ ମାସ ଜଳ ଯୋଗାଣ ଦେୟ ଆଦାୟ କରିବେ ଏବଂ ନିଜ ଅଂଚଳରେ ନିୟମିତ ଭାବେ ଜଳର ମାନ ପରୀକ୍ଷା କରିବା ସହ ଜନସାଧାରଣଙ୍କର ଅଭାବ ଅଭିଯୋଗକୁ ସରକାରଙ୍କ ନିକଟରେ ପହଂଚାଇବାକୁ ସହଯୋଗ କରିବେ । ଏହି କାର୍ଯ୍ୟକ୍ରମ ଆଜିଠାରୁ ଭୁବନେଶ୍ୱରର ୮ଟି ୱାର୍ଡରେ ଆରମ୍ଭ କରାଗଲା । ଏଥିନିମନ୍ତେ ୱାଟକୋ ଓ ମହିଳା ସ୍ୱୟଂ ସହାୟକ ମହାସଂଘ ସହିତ ରାଜିନାମା ସ୍ୱାକ୍ଷରିତ ହୋିଥିଲା । ପରିବର୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ତଥା ରାଜ୍ୟ ସମସ୍ତ ସହରାଂଚଳରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୧୨ ଲକ୍ଷରୁ ଊଦ୍ଧ୍ୱର୍ ପରିବାରକୁ ଦୈନିକ ୯ ଶହ ନିୟୁତ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ସାରା ରାଜ୍ୟରେ ୫ ହଜାର ଜଳସାଥୀ ଏହି କାର୍ଯ୍ୟକ୍ରମରେ ନିୟୋଜିତ ହେବେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସର୍ବଶ୍ରୀ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥି ଭାତନାନ୍ ଓ ମିଶନ ଶକ୍ତିର ସଚିବ ଶ୍ରୀମତୀ ସୁଜାତା କାର୍ତିକେୟନ ମଧ୍ୟ ଉପସ୍ଥିତ ଥିଲେ ।