ଯାଜପୁର ଜିଲ୍ଲାରେ ବନ୍ୟା ବିତ୍ପାତ

ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ବିତ୍ପାତ । ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ଆଦି ପ୍ରମୁଖ ଭୟଙ୍କର ନଦୀରେ ବନ୍ୟା । ବୈତରଣୀ ପରେ ବ୍ରାହ୍ମଣୀ ଓ ତାର ଶାଖା ଖରସ୍ରୋତା ନଦୀରେ ୧୦ ରୁ ଅଧିକ ଘାଇ ସୃଷ୍ଟି ହୋଇଛି । ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବାସହ ଅନେକ ଗାଁ ପାଣି ଘେରରେ ରହିଛି ।

ଚଳିତ ବନ୍ୟାରେ ଦଶରଥପୁର, ଯାଜପୁର, ବିଂଝାରପୁର, କୋରେଇ, ବରୀ ରସୁଲପୁର, ଧର୍ମଶାଳା, ବଡଚଣା, ସୁକିନ୍ଦା ଏବଂ ଦାନଗଦୀ ଆଦି ୧୦ ଟି ବ୍ଲକର ୧୩୮ ଟି ଗ୍ରାମ ପଞ୍ଚାୟତର ୫୯୭ ଟି ଗାଁ ପାଣି ଘେରରେ ରହିଛି । ଏଥିରେ ୬ ଲକ୍ଷ ୯ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଲୋକଙ୍କ ଘର ଭାଙ୍ଗି ଯାଇଛି। ଅନେକ ସ୍ଥାନରେ ଲୋକେ ଛାତ ଓ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି। ବନ୍ୟା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବନ୍ୟା କ୍ଷତିଗ୍ରସ୍ତ ଲୋକେ।

ବନ୍ୟା କ୍ଷତିଗ୍ରସ୍ତ ଯୋଗୁଁ ଜିଲ୍ଲାରେ ୫୦ ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷଜମି ଜଳମଗ୍ନ ହୋଇଛି । ବ୍ୟାପକ ଅଞ୍ଚଳରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ସେପଟେ ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ତଳିଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଢିପ ସ୍ଥାନ ତଥା ବିଭିନ୍ନ ସ୍କୁଲ ଘରେ ବିପନ୍ନ ପରିବାର ମାନେ ଆଶ୍ରୟ ନେଇଛନ୍ତି । ଓଡ୍ରାଫ ଓ ଏନ.ଡି.ଆର.ଏଫ ର ୭ଟି ଟିମ୍ ଦ୍ବାରା ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ପ୍ରଶାସନ ପକ୍ଷରୁ ବିପନ୍ନ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବା ସହ ସେମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ବନ୍ୟାଞ୍ଚଳରେ ଘାଇ ମରାମତି କାମ ଆରମ୍ଭ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ମଧ୍ୟ ବଳବତ୍ତର ରହିଛି ।

ବର୍ତ୍ତମାନ ବୈତରଣୀ ସମେତ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ତେବେ ଜିଲ୍ଲାରେ ହୋଇଥିବା ଭୟଙ୍କର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି।