ଅଯୋଧ୍ୟାରେ ଆକ୍ରମଣ କରିବାର ଯୋଜନା କରୁଛି ଜୈଶ୍-ଏ-ମହମ୍ମଦ; ନିରାପତା ବ୍ୟବସ୍ଥା କଡ଼ାକଡ଼ି

ଗୁଇନ୍ଦା ଏଜେନ୍ସିରୁ ମିଳିଛି ସୂଚନା

ନୂଆଦିଲ୍ଲୀ: ଉତରପ୍ରଦେଶର ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିବାର ଯୋଜନା କରୁଛି ଜୈଶ୍-ଏ-ମହମ୍ମଦ । ଏ ନେଇ ଗୁଇନ୍ଦା ଏଜେନ୍ସି ପକ୍ଷରୁ ସୂଚନା ମିିଳିଛି । ଏଜେନ୍ସି ପକ୍ଷରୁ ସୂଚନା ମିଳିବା ପରେ ଚାରିଆଡେ ନିରାପତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଗୁଇନ୍ଦା ଏଜେନ୍ସିମାନଙ୍କ ହାତରେ ପଡ଼ିଥିବା ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଆଝାରଙ୍କ ଏକ ବାର୍ତାରୁ ଏ କଥା ଜଣାପଡ଼ିଛି। ଚାଟିଙ୍ଗ୍‌ ଆପ୍‌ ‘ଟେଲିଗ୍ରାମ୍‌‘ ଜରିଆରେ ପଠାଯାଇଥିବା ଏହି ବାର୍ତାରୁ ଜଣାପଡ଼ିଛି ଯେ ପାକିସ୍ତାନର ଏହି ଆତଙ୍କବାଦୀ ସଙ୍ଗଠନ ଅଯୋଧ୍ୟାରେ ଆକ୍ରମଣ କରିବାକୁ ଯୋଜନା କରୁଛି।

ଏହି ବାର୍ତାକୁ ଗୁଇନ୍ଦା ଏଜେନ୍ସିମାନେ ସମସ୍ତ ନିରାପତା ଏଜେନ୍ସିଙ୍କୁ ସେୟାର୍‌ କରିବା ପରେ ଅଯୋଧ୍ୟା ଏବଂ ସହରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ନିରାପତା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହାଛଡ଼ା ନିରାପତା  ଏଜେନ୍ସିମାନେ ଭାରତରେ କାର୍ଯ୍ୟରତ ଜୈଶ୍‌-ଏ-ମହମ୍ମଦର ନେଟ୍‌ଓ୍ଵାର୍କ ଉପରେ ତୀବ୍ର ଦୃଷ୍ଟି ରଖିଛନ୍ତି।

୨୦୧୯ ମସିହା ମେ ୧ ତାରିଖ ଦିନ ଜାତିସଂଘ ନିରାପତ୍ତା ପରିଷଦ୍‌ ୧୨୬୭ ସାଙ୍କ୍‌ସନ୍‌ କମିଟି ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ଆଝାରଙ୍କୁ ‘ବିଶ୍ୱ ସନ୍ତ୍ରାସୀ’ ବୋଲି ଘୋଷଣା କରିଥିଲା।