ଜୟପୁର ସିରିଏଲ ବିସ୍ଫୋରଣ ଘଟଣା: ୪ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ

ଜୟପୁର: ଜୟପୁର ସିରିଏଲ ବିସ୍ଫୋରଣ ଘଟଣାରେ ୪ ଅଭିଯୁକ୍ତଙ୍କୁ ଆଜି ଜୟପୁରର ଏକ ଅଦାଲତ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ବୁଧବାର ଏହି ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଅଦାଲତ ।

ପ୍ରକାଶ ଯେ, ୨୦୦୮ ମେ’ ୩୧ ତାରିଖରେ ଜୟପୁରରେ ଘଟିଥିବା ୮ଟି ସିରିଏଲ ବିସ୍ଫୋରଣ ଘଟଣାରେ ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮୫ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ମହମ୍ମଦ ସୈଫ୍‌, ମହମ୍ମଦ ସରଓ୍ଵାର ଆଜ୍‌ମୀ, ମହମ୍ମଦ ସଲମାନ ଓ ସଇଫୁର ରହେମାନ୍‌ଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ଚାର୍ଜସିଟ୍‌ ଦାଖଲ କରିବା ପରେ ଏମାନଙ୍କର ବିଚାର ଜୟପୁରର ଏକ ସ୍ୱତନ୍ତ୍ର ଅଦାଲତରେ ଚାଲିଥିଲା। ସ୍ୱତନ୍ତ୍ର ଅଦାଲତ ଏହି ୪ ଅଭିଯୁକ୍ତଙ୍କୁ ଗତ ବୁଧବାର  ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଦଣ୍ଡାଦେଶ ଘୋଷଣା କରିଛନ୍ତି। ଦଣ୍ଡାଦେଶ ଶୁଣାଇ ବିଚାରପତି ଏହି ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ସହ ମୃତ୍ୟୁ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଫାଶୀଖୁଂଟ ରେ ଝୁଲାଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ଅଦାଲତର ବିଚାରପତି ଫାଶୀ ଦଣ୍ଡାଦେଶ ଘୋଷଣା କଲାବେଳେ ଏହି ୪ ଅଭିଯୁକ୍ତ ଅଦାଲତରେ ଉପସ୍ଥିତ ଥିଲେ।

ତେବେ, ଏହି ସିରିଏଲ ବିସ୍ଫୋରଣ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଥିବା ଶାହାବାଜ୍‌ ହୁସେନ୍‌କୁ ଅଦାଲତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରି ଦେଇଥିଲେ।