ରାଜସ୍ଥାନ ହାଇକୋର୍ଟଙ୍କ ବଡ ଘୋଷଣା: ଏଣିକି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳିବନି ଆଜୀବନ ସରକାରୀ ସୁବିଧା

ଜୟପୁର:ପୂର୍ବରୁ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ଆଜୀବନ ସରକାରୀ ସୁବିଧା ସୁଯୋଗ ଦିଆଯାଉଥିଲା । କିନ୍ତୁ ଏବେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜସ୍ଥାନ ହାଇକୋର୍ଟ । ରାଜସ୍ଥାନ ମନ୍ତ୍ରୀ ବେତନ ଅଧିନିୟମ ୨୦୧୭କୁ ଅବୈଧ ଘୋଷଣା କରି ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜଷ୍ଟିସ୍ ପ୍ରକାଶ ଗୁପ୍ତାଙ୍କ କୋର୍ଟ ଆଜି ଏହି ନିଷ୍ପତ୍ତି ଶୁଣାଇଛନ୍ତି । 

ମିଳାପଚନ୍ଦ ଇଣ୍ଡିଆ ଏବଂ ଅନ୍ୟ ଯାଚିକା ସ୍ୱୀକାର କରି ମଇ୯ରେ ଚିଫ୍ ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହା ଉପରେ ନିଷ୍ପତ୍ତି ସୁରକ୍ଷିତ ରଖିଥିଲେ । ତେବେ ରାଜସ୍ଥାନ ମନ୍ତ୍ରୀ ବେତନ ସଂଶୋଧନ ଅଧିନିୟମ ୨୦୧୭କୁ ଅବୈଧ ଘୋଷଣା କରିବା ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ସରକାରୀ ବଙ୍ଗଳା, ଗାଡି, କର୍ମଚାରୀଙ୍କ ଠାରୁ ସେବା ଆଦି ପାଇ ପାରିବେ ନାହିଁ । 

ମିଳାପଚନ୍ଦ ଇଣ୍ଡିଆ ଏବଂ ଅନ୍ୟ ଯାଚିକାରେ ରାଜସ୍ଥାନ ସରକାର ଏହି ଅଧିନିୟମ ଆଧାରରେ ମୁଖ୍ୟମନ୍ତ୍ରୀମାନଙ୍କୁ ଆଜୀବନ ସୁବିଧା ଦିଆଯିବାକୁ ଚ୍ୟାଲେଞ୍ଜ କରିଛନ୍ତି । ଯାଚିକାରେ ସୁପ୍ରିମକୋର୍ଟ ପକ୍ଷରୁ ପ୍ରଥମରୁ ଉତ୍ତରପ୍ରଦେଶର ମାମଲାରେ ଏହି ଭଳି ବିଧେୟକକୁ ଅବୈଧ ଘୋଷଣା କରାଯାଇଛି । ସେହିଭଳି ଦେଖିବାକୁ ଗଲେ କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡ ହାଇକୋର୍ଟ ଏଭଳି ଆଦେଶ ଦେଇଥିଲେ । 

ରାଜସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଉଥିବା ସରକାରୀ ସୁବିଧା ବର୍ତ୍ତମାନ ବସୁନ୍ଧରା ରାଜେ ଏବଂ ଜଗନ୍ନାଥ ପହାଡିୟାଙ୍କୁ ମିଳୁଛି । ଯାଚିକା କର୍ତ୍ତାଙ୍କ ପକ୍ଷରୁ ଓକିଲ ବିମଲ ଚୌଧୁରୀ ଏବଂ ଯୋଗେଶ ଟେଲରଙ୍କ ଦାବୀ ପରେ ଏହି ନିଷ୍ପତ୍ତି ନିଆଯାଇଛି ।