ଉପରାଷ୍ଟ୍ରପତିଙ୍କ ଦ୍ୱାରା ଉପନ୍ୟାସ ‘ଯାଆଁଳା ତୋଟା’ ଲୋକାର୍ପିତ

ଭୁବନେଶ୍ୱର:ରାଜଭବନ ଠାରେ ରବିବାର ଦିନ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାୟୁଡୁଙ୍କ ଦ୍ୱାରା ବିଜେପି ନେତା ତଥା ସାମାଜିକ କାର୍ଯ୍ୟକର୍ତା କାଳନ୍ଦୀ ସାମଲଙ୍କ ଲିଖିତ ଉପନ୍ୟାସ ‘ଯାଆଁଳା ତୋଟା’ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଉପସ୍ଥିତ ଥିଲେ । ସମସ୍ତେ ମିଳିମିଶି କିପରି ଭାବରେ ଏକ ଦୁର୍ଗମ ପଛୁଆ ଅଂଚଳକୁ ବିକଶିତ କରି ପାରିଛନ୍ତି ତାହା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି । ଏହି ଉପନ୍ୟାସ ପାଠକୀୟ ଆଦୃତ ଲାଭ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଉପନ୍ୟାସରେ ଦୁର୍ଗମ, ପଥୁରିଆ, ନିପାଣିଆ ଗାଁ ଦୁଇ ଭଉଣୀଙ୍କ ଉଦ୍ୟମରେ ବିକାଶର ଶୀର୍ଷରେ ପହଁଚିପାରିଛି । ଦୁଇ ଉଉଣୀଙ୍କ ପରି ସାମାଜିକ ସମ୍ବେଦନ ରଖୁଥିବା ଦୁଇ ଯୁବକଙ୍କୁ ସ୍ଥାନୀୟ ଜମିଦାର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଉଦ୍ୟମ ଓ ଏହାସହ ଗାଁର ଆର୍ଥିକ ବିକାଶ ଜନଭାଗୀଦାରୀ ଅ।।ଧାରରେ କିପରି ଜନଆନ୍ଦୋଳନରେ ପରିଣତ ହୋଇଛି ଏହି ଉପନ୍ୟାସରେ ନିଖୁଣ ଓ ହୃଦୟସ୍ପର୍ଶୀ ଭାବେ ବର୍ଣ୍ଣିତ ହୋଇଛି । ‘ଯାଆଁଳା ତୋଟା’ ପୁସ୍ତକ ଲେଖକ କାଳନ୍ଦୀ ସାମଲଙ୍କ ସାମାଜିକ କାର୍ଯ୍ୟକର୍ତା ଭାବେ ଉତ୍ସର୍ଗୀକୃତ ମନୋଭାବ ନେଇ କରି ଆସିଥିବା ଉଦ୍ୟମର ଫଳଶ୍ରୁତି । ଜୀବନ ବଗିଚାର ଅଧାଫୁଟା କଢିକୁ ପ୍ରସ୍ପୁଟିତ କରିବା, ବିଶ୍ୱାସର ରଙ୍ଗ ଓ ହସର ମହକରେ ସଂସାରକୁ ସମୁଜ୍ୱଳ କରିବାର ଆଭିମୁଖ୍ୟରେ ରଚିତ ଏହି ଉପନ୍ୟାସଟି ସାମାଜିକ ଅଙ୍ଗୀକାର ଓ ଅସ୍ମିତାର ଏକ ଜଳଛବି ।