ଆସନ୍ତାକାଲି ୟେସ ବ୍ୟାଙ୍କରୁ ଉଠିବ ଜଗନ୍ନାଥଙ୍କ ଟଙ୍କା !

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖିବା ପ୍ରସଙ୍ଗ । ଗୁରୁବାର ଟଙ୍କା ଉଠାଇବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି । ବୁଧବାର ସନ୍ଧ୍ୟାରେ ସରୁଛି ମୋରାଟୋରିୟମ ପିରିୟଡ଼ । ତେଣୁ ଟଙ୍କା ଉଠାଇବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ଅଧିକାରୀ ।

ୟେସ ବ୍ୟାଙ୍କରେ ବର୍ଷକ ପାଇଁ ଟଙ୍କା ଜମା ହୋଇଥିଲା । ଏବେ ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନର ୫୪୫ କୋଟି ଗଚ୍ଛିତ ରହିଛି । ଏନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗିରହିଥିଲା । ହେଲେ ଏବେ ଏହି ଟଙ୍କା ଉଠାଣକୁ ନେଇ ବାଟ ଫିଟିଛି ।

ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଜମାଟଙ୍କାଙ୍କୁ ନେଇ ତୁମ୍ବି ତୋଫାନ ଲାଗିରହିଛି । ଏହି ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ବେଳେ ଆରବିଆଇ ପକ୍ଷରୁ ୫୦,୦୦୦ ଟଙ୍କା ଉଠାଣ କଟକଣା ଲଗାଯିବା ପରେ ଶ୍ରୀମନ୍ଦିରର ୫୪୫ କୋଟି ଜମା ଟଙ୍କା ନେଇ ଦ୍ଵନ୍ଦ ଉପୁଜିଥିଲା ।

ୟେସ ବ୍ୟାଙ୍କ ଏବେ ସଙ୍କଟ ଦେଇ ଗତି କରୁଥିବା ବେଳେ ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଏତେ ଗୁଡିଏ ଟଙ୍କା ରଖିବାକୁ ନେଇ ରାଜନୀତି ଜୋର ଧରିଛି । ଉପୁରି ଖାଇବା ଆଶାରେ ସରକାର ଜାଣିଶୁଣି ଜଗନ୍ନାଥଙ୍କ ଟଙ୍କାକୁ ୟେସ ବ୍ୟାଙ୍କରେ ରଖିଥିବା ବିରୋଧି ଅଭିଯୋଗ କରିଆସୁଛନ୍ତି । ଏହା ବ୍ୟତିତ ଏବାବଦରେ ଯଦି ସରକାର ନିଜର ସ୍ପଷ୍ଟ ମତ ନ ରଖନ୍ତି, ତାହାଲେ ଟଙ୍କା ହଡପ ଅଭିଯୋଗରେ ଆଇନର ଆଶ୍ରୟ ନେବାକୁ ମଧ୍ୟ ଚେତାବନୀ ଦେଇଥିଲେ ବିଜେପି ନେତା ।