ବିଜେପିର ନୂତନ ସଭାପତି ଭାବେ କାର୍ଯ୍ୟଭାର ସମ୍ଭାଳିଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପିର ନୂତନ ସଭାପତି ଭାବେ କାର୍ଯ୍ୟଭାର ସମ୍ଭାଳିଲେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା । ସେ ନିଦ୍ୱନ୍ଦରେ ନିର୍ବାଚିତ ହୋଇ ଏହି ପଦଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଅମିତ ଶାହା ବିଗତ ସାଢ଼େ ୫ ବର୍ଷ ହେବ ଦଳର ନେତୃତ୍ୱ ନେଇଛନ୍ତି । ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି ।

ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦ ଜେପି ନଡ୍ଡା ଗତ ବର୍ଷ ଠାରୁ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଅଛନ୍ତି । କିନ୍ତୁ ଏବେ ତାଙ୍କୁ ପାର୍ଟିର ସଂପୂର୍ଣ୍ଣ ଦାୟିତ୍ୱ ମିଳିଲା । ବିଜେପି ଜଣେ ବ୍ୟକ୍ତି ଗୋଟିଏ ପଦ ନିୟମରେ କାମ କରୁଛି । ଏହି କାରଣରୁ ଗୃହମନ୍ତ୍ରୀ ଅମିତ ଶାହା ଏବେ ଅଧ୍ୟକ୍ଷ ପଦର ଦାୟିତ୍ୱରେ ରହିବେ ନାହିଁ ।

ନାମାଙ୍କନ ସମୟରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅନେକ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ ।

ବର୍ଷ ୨୦୧୪ ଲୋକସଭା ନିର୍ବାଚନରେ ବିଶାଳ ବିଜୟ ପରେ ଅମିତ ଶାହାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ବଡ଼ ବଡ଼ ଉପଲବ୍ଧି ହାସଲ କରିଛି । କ୍ରମାଗତ ଭାବେ ବିଧାନସଭା ନିର୍ବାଚନରେ ବିଜୟ, ୨୦୧୯ ଲୋକସଭାରେ ବିଜୟ କାରଣରୁ ଅମିତ ଶାହାଙ୍କୁ ବର୍ତମାନ ସମୟର ଚାଣକ୍ୟ କୁହାଯାଉଛି । ଏମିତିରେ ବି ଶାହାଙ୍କ ୫ ବର୍ଷର କାର୍ଯ୍ୟକାଳ ଶେଷ ହୋଇଯାଇଛି ।