ଇସ୍ତଫା ପ୍ରତ୍ୟାହାର କଲେ ଜଗନ୍ନାଥ

ଭୁବନେଶ୍ୱର: ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ନିଜ ନିଷ୍ପତ୍ତି ବଦଳାଇ ଇସ୍ତଫା ପତ୍ର ପ୍ରତ୍ୟାହାର କରିଛନ୍ତି । ତେବେ ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ । ଗତକାଲି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ସେ ମନ ପରିବର୍ତନ କରି ଏକାଠି ହୋଇ କାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦଳରେ କିଛିମାତ୍ରାରେ ବିଚ୍ୟୁତି ଥିବାରୁ ଅସନ୍ତୋଷ ଥିଲା ଓ ତାହା ଦୂର ହୋଇଛି ବୋଲି କହିଛନ୍ତି ଜଗନ୍ନାଥ । ତେବେ ଛୋଟ ଛୋଟ ଘଟଣା ପରିବାରରେ ହୁଏ । ଆମେ ସମସ୍ତେ ମିଳିମିଶି ଆଗାମୀ ଦିନରେ ଭଲ କାମ କରିବୁ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସେପଟେ ନୂଆକରି ଭୁବନେଶ୍ୱର ବିଜେପି ସଭାପତି ହୋଇଥିବା ବାବୁ ସିଂ ଜଗନ୍ନାଥଙ୍କୁ ଭେଟିବା ପରେ କହିଛନ୍ତି ଯେ, ଆମ ଭିତରେ କୌଣସି ପ୍ରକାର ମତାନ୍ତର ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ, ଜଗନ୍ନାଥ ପ୍ରଧାନ ଗତ ବିଧାନସଭା ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେପି ଟିକଟରେ ନିର୍ବାଚନ ଲଢିଥିଲେ ।