ମହାପ୍ରଭୁଙ୍କ ଟଙ୍କା ରହିବ ଏହି ୨ଟି ବ୍ୟାଙ୍କରେ

ଭୁବନେଶ୍ୱର: ମହାପ୍ରଭୁଙ୍କ ଟଙ୍କା କେଉଁ ବ୍ୟାଙ୍କରେ ରହିବା ନେଇ ବହୁଦିନରୁ ପ୍ରଶ୍ନସୂଚୀ ସୃଷ୍ଟି ହୋଇଥିଲା । ଯାହା କିଛି ଦିନ ପୂର୍ବେ ୟୁନିୟନ୍ ବ୍ୟାଙ୍କରେ ରହିବା ନେଇ ନିଷ୍ପତି ହୋଇଥିବାବେଳେ ତାହା ଖାରଜ କରାଯାଇଥିଲା । ତେବେ ବର୍ତମାନ ମହାପ୍ରଭୁଙ୍କ ଟଙ୍କା ଗୋଟିଏ ବ୍ୟାଙ୍କ ନୁହେଁ ବରଂ ୨ଟି ବ୍ୟାଙ୍କରେ ରହିବା ନେଇ ସ୍ଥିର ହୋଇଛି । ଏଥର ମହାପ୍ରଭୁଙ୍କ ଟଙ୍କର ବ୍ୟାଙ୍କ ଅଫ୍ ବରୋଦା(ବିଓବି) ଏବଂ ୟୁନିୟନ୍ ବ୍ୟାଙ୍କରେ ରହିବା ନେଇ ସ୍ଥିର କରାଯାଇଛି ।  ୨ଟି ବ୍ୟାଙ୍କରେ ସମାନ ଭାଗ ହୋଇ ଜମା ହେବ ୨୮୭ କୋଟି। ବର୍ଷକ ପାଇଁ ୬.୨୬% ସୁଧରେ ଫିକ୍ସଡ୍ ଡିପୋଜିଟ୍ ହେବ। ଟେଣ୍ଡର ପରେ ଉନ୍ନୟନ ପ୍ରଶାସକ ଅଜୟ ଜେନା ଦେଲେ ସୂଚନା। ୧୦୨ କୋଟି ଟଙ୍କାର ଫାଉଣ୍ଡେସନ୍ ଫଣ୍ଡ ଏସବିଆଇ ରେ ରହିବ।

ସୂଚନା ଅନୁଯାୟୀ ୟେସ୍‌ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିବା ଏବଂ ଆରବିଆଇ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଉକ୍ତ ବ୍ୟାଙ୍କରେ ମହାପ୍ରଭୁଙ୍କ  ଟଙ୍କା ରଖାଯିବା ନେଇ  ପ୍ରଶ୍ନ ଉଠିଥିଲା। ଏହା ପରେ ସରକାରଙ୍କ ପକ୍ଷରୁ ଏହାକୁ ଫେରାଇ ଅଣାଯିବା ପାଇଁ ପ୍ରୟାସ କରାଯାଇଥିଲା। ଏହା ପରେ ଇ-ଟ୍ରାନ୍ସଫର ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାକୁ ଏସବିଆଇର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର୍ କରିଥିଲା ।

ୟେସ୍‌ ବ୍ୟାଙ୍କ ପକ୍ଷରୁ  ଜମା ହୋଇଥିବା ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ମଧ୍ୟରୁ ମୂଳ ଧନ ୩୮୯ କୋଟି ଟଙ୍କା ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା ବୋଲି ଜଣାଯାଇଛି। ଏନେଇ ୟେସ୍ ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇଛି। ବାକି ୧୫୬ କୋଟି ଟଙ୍କାର ଦୁଇଟି ଫିକ୍ସ ଡିପୋଜିଟ ମାର୍ଚ୍ଚ ୩୦ରେ ମାଚ୍ୟୁରିଟି ପରେ ଦିଆଯିବ ବୋଲି ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି।