ଭଦ୍ରକ: ଆଜି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ରାଉତଙ୍କର ପରଲୋକ ହୋଇଛି। ସେ ଭୁବନେଶ୍ବରର କେୟାର ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା।
ଜଗନ୍ନାଥ ରାଉତ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଭଦ୍ରକ ଜିଲ୍ଲାର ଧୁଷୁରି ବ୍ଲକର ନରସିଂହପୁର ଗାଁରେ ସେ ଜନ୍ମ ହୋଇଥିଲେ। ଜଗନ୍ନାଥ ଭଦ୍ରକ ଜିଲ୍ଲାର ଧାମନଗର ଆସନରୁ ୩ ଥର କଂଗ୍ରେସ ବିଧାୟକ ଥିଲେ । ସେ ଅଷ୍ଟମ, ନବମ ଓ ଏକାଦଶ ବିଧାନସଭାରେ ଧାମନଗର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଥିଲେ। ଜଗନ୍ନାଥ ରାଉତ ରାଜ୍ୟର ଶିଳ୍ପ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।