ଏମ୍ସରେ ଜଗାର ଚିକିତ୍ସା ଆରମ୍ଭ; ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
ବିରଳ ଚର୍ମ ରୋଗରେ ଆକ୍ରାନ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାର ଜଗା

ଭୁବନେଶ୍ୱର: ବିରଳ ଚର୍ମ ରୋଗରେ ଆକ୍ରାନ୍ତ ହୋଇଥିବା ଜଗାର ଚିକିତ୍ସା ଦାୟିତ୍ୱ ଶେଷରେ ରାଜ୍ୟ ସରକାର ନିଜେ ବହନ କରିବେ ବୋଲି ନିଷ୍ପତି ନେଇଛନ୍ତି । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଗୋଠଗାଁର ପ୍ରଭାକର ପ୍ରଧାନରଙ୍କ ସାନ ପୁଅ ଜଗା ବିରଳ ଚର୍ମ ରୋଗରେ ଆକ୍ରାନ୍ତ ହୋଇଛି । ତେବେ ଆଜିଠାରୁ ଭୁବନେଶ୍ୱରସ୍ଥିତ ଏମ୍ସରେ ତାର ଚିକିତ୍ସା ଆରମ୍ଭ ହୋଇଛି ।
ଶେରଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରର ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଅଧିକାରୀ ଡା.ସତ୍ୟ ନାରାୟଣ ପଲାଇଙ୍କ ନେତୃତ୍ୱରେ ଏକ ଡାକ୍ତରୀ ପ୍ରତିନିଧିଦଳ ଗୋଠଗାଁ ଯାଇ ଜଗାକୁ ଧରି ଭୁବନେଶ୍ୱର ଏମ୍ସ୍କୁ ଯାଇଥିଲେ। ସାଙ୍ଗରେ ଜଗାର ବାପା ଓ ମାଆ ମଧ୍ୟ ଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଜଗାକୁ ଚର୍ମ ବିଭାଗରେ ଭର୍ତି କରାଯାଇଥିଲା। ବୁଧବାର ରାତିରେ ଗଞ୍ଜାମ ଜିଲ୍ଲାପାଳ ଗୋଠଗାଁ ଯାଇ ଜଗାର ସ୍ବାସ୍ଥ୍ୟାବସ୍ଥା ଦେଖିଥିଲେ। ତୁରନ୍ତ ରେଡ୍କ୍ରସ୍ ପାଣ୍ଠିରୁ ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ଅଧିକ ଚିକିତ୍ସା ନିମନ୍ତେ ଏମ୍ସ ନେବା ବ୍ୟବସ୍ଥା କରିଥିଲେ।
ସୂଚନାଯୋଗ୍ୟ, ଜଗାକୁ ଏବେ ୧୦ ବର୍ଷ ବୟସ। ସେ ଭୟଙ୍କର ଚର୍ମରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି। ଅର୍ଥାଭାବରୁ ମଧ୍ୟ ବାପା ପ୍ରଭାକର ପୁଅର ଚିକିତ୍ସାକୁ ଅଧାରୁ ବନ୍ଦ କରି କେବଳ ଭାଗ୍ୟକୁ ନିନ୍ଦି ଭଗବାନଙ୍କ ଭରସାରେ ରହିଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ସହାୟତାର ହାତ ପରିବାର ଲୋକଙ୍କୁ ଆଶା ଯୋଗାଇଛି। କାରଣ ଜଗା ପୂର୍ବରୁ ତାର ୪ ଭଉଣୀ ଓ ୨ ଭାଇ ମଧ୍ୟ ସେହି ସମାନ ଚର୍ମରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଥିଲେ। ଫଳରେ ଏହି ରୋଗ ପରିବାର ପାଇଁ ସତେ ଯେମିତି ଅଭିଶାପ ପାଲଟିଯାଇଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଜଗା ଜନ୍ମ ହେବା ପରେ ପୁଣି ପ୍ରଭାକରଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। କାରଣ ଜଗା ବି ସେହି ଭୟଙ୍କର ରୋଗରେ ଆକ୍ରାନ୍ତ ଥିଲା। ଜନ୍ମର ମାତ୍ର ଅଧଘଂଟା ପରେ ହିଁ ତାର ଦେହରୁ ଚମ ଛାଡ଼ି ଝଡ଼ିବା ଆରମ୍ଭ ହୋଇଥିଲା। ଧାରକରଜ କରି ଚିକିତ୍ସା ପାଇଁ ପ୍ରଭାକର ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲେ ବି କୌଣସି ସୁଫଳ ମିଳୁ ନଥିଲା। ବିଶେଷ କରି ଖରା ଦିନରେ ଜଗାର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି। ଶରୀର ଜଳାପୋଡ଼ା କାରଣରୁ ଦିନତମାମ ସେ ପାଣିକୁଣ୍ଡ ମଧ୍ୟରେ ବସି ରହୁଛି। ଶେଷରେ ସମସ୍ତ ସରକାରୀ ସ୍ବାସ୍ଥ୍ୟ ସୁବିଧାରୁ ବଂଚିତ ପ୍ରଭାକର ପୁଅର ଚିକିତ୍ସା ପାଇଁ ଶେରଗଡ଼ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି କୌଣସି ସହାୟତା ମିଳିପାରି ନଥିଲା। ପୂର୍ବରୁ ୬ ସନ୍ତାନଙ୍କୁ ହରାଇ ସାରିଥିବା ପ୍ରଭାକର ଜଗାକୁ ବଚାଂଇବାକୁ ସବୁ ପ୍ରୟାସ କରି ବି ବିଫଳ ହୋଇଥିଲେ। ସରକାର ଜଗାର ଚିକିତ୍ସା ଦାୟିତ୍ବ ନେବା ପରେ ପରିବାର ଲୋକ କିଛି ମାତ୍ରାରେ ଆଶ୍ବସ୍ତ ହୋଇଛନ୍ତି।