ଖୁବଶୀଘ୍ର ଓଡିଶା ଫେରିବେ ଜଗା କାଳିଆ

ଭୁବନେଶ୍ୱର: ଅତିଶୀଘ୍ର ଓଡିଶା ଫେରିବେ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାକାଳିଆ । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିବା ଜଗାକାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି  । ଦୁହେଁ ସୁସ୍ଥ ଅଛନ୍ତି । ତେବେ ସେମାନଙ୍କୁ ଆଉ କୌଣସୀ ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ନଥିବା ଦିଲ୍ଲୀ ଏମସର ଡାକ୍ତର କହିଛନ୍ତି । ଏନେଇ ଦିଲ୍ଲୀ ଏମସରେ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି ।

ଗତ ୨ ବର୍ଷ ଧରି ଜଗାକାଳିଆଙ୍କ ଚିକିତ୍ସା ଦିଲ୍ଲୀରେ ଜାରି ରହିଛି । କନ୍ଧମାଳର ଏହି ଦୁଇ ଭାଇଙ୍କ ଅସ୍ତ୍ରୋପଚାର ସାରା ବିଶ୍ୱରେ ବିରଳ ଥିଲା । ଏହା ମେଡିକାଲ ସାଇନ୍ସ ପାଇଁ ମଧ୍ୟ ଚ୍ୟାଲେଂଜ ସୃଷ୍ଟି କରିଥିଲା । ଅସ୍ତ୍ରୋପଚାର ସଫଳ ହୋଇ ଦୁଇ ଶିଶୁଙ୍କ ମୁଣ୍ଡ ଅଲଗା କରାଯାଇଥିଲା । ବର୍ତମାନ ଉଭୟ ଶିଶୁ ସୁସ୍ଥ ଅଛନ୍ତି । ଜଗାକୁ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ବଳିଆ ମଧ୍ୟ ପାଟିରେ ଖାଦ୍ୟ ଖାଉଛି ।

ଆଜି ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏମସରେ ବୈଠକ ବସିଥିଲା । ଏହି ବୈଠକରେ ସେମାନଙ୍କର ଓଡିଶା ଫେରିବା ନେଇ ଆଲୋଚନା ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏମସ କର୍ତୃପକ୍ଷ ଏନେଇ ଆଲୋଚନା କରିଛନ୍ତି ।   ତେବେ ଏହି ଶିଶୁଙ୍କୁ କେବେ ଓଡିଶା ଅଣାଯିବ ସେନେଇ କିଛି ତାରିଖ ଜଣାପଡି ନାହିଁ । ତେବେ ଏମସର ଜଣେ ଡାକ୍ତର ଏବଂ ନର୍ସଙ୍କ ଦାୟିତ୍ୱରେ ଜଗାକାଳିଆଙ୍କୁ ବିମାନରେ ଓଡିଶା ଅଣାଯିବ ବୋଲି ଜଣାପଡିଛି ।