ଆଜି ଓଡ଼ିଶା ଫେରିବେ ଜଗାକାଳିଆ

ଭୁବନେଶ୍ୱର:ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ମିଲୁପଡ଼ାର ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଆଜି ଓଡ଼ିଶା ଫେରିବେ ।

ଜଗାକାଳିଆଙ୍କ ଫେରିବା ନେଇ ଆଜି ଦିନ ୧୨ଟାରେ ଏମ୍ସର ପ୍ରେସମିଟ ହେବ । ଏହାପରେ ସେମାନେ ସେଠାରୁ ବାହାରିବେ । ଓଡ଼ିଶା ଏସସିବିରୁ ଦୁଇଜଣିଆ ଡାକ୍ତରୀ ଟିମ ଗତକାଲି ଦିଲ୍ଲୀରେ ପହଂଚିଛନ୍ତି । ଦିଲ୍ଲୀ ଏମ୍ସରେ କତ୍ତୃପକ୍ଷଙ୍କ ସହ ଦିଲ୍ଲୀ ଏମ୍ସରେ ଡାକ୍ତର ଡି.ପି. ନାୟକ ଓ ଡାକ୍ତର ଏସଏସ ବରିହାଙ୍କ ଆଲୋଚନା ସରିଛି । ଜଗା କାଳିଆଙ୍କ ସହିତ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଏବଂ ଓଡ଼ିଶା ଭବନ କର୍ମଚାରୀ ସାଙ୍ଗରେ ଆସିବେ । ଏହା ପରେ ସେମାନଙ୍କୁ କଟକ ଏସ୍‌ସିବି ମେଡ଼ିକାଲକୁ ନିଆଯିବ । ଜଗା ଓ କାଳିଆ ରାଜଧାନୀ ଏକ୍ସପ୍ରେସରେ ଆଜି ଦିଲ୍ଲୀରୁ ବାହାରିବେ ।

 ଅନ୍ୟପକ୍ଷରେ ଏସ୍‌ସିବିରେ ଜଗା କାଳିଆଙ୍କ ରହିବା ଓ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୁଇ ଶିଶୁଙ୍କୁ ଏସ୍‌ସିବିର ସର୍ଜରି ବିଭାଗର ୧ ନମ୍ବର କ୍ୟାବିନ୍‌ରେ ରଖାଯିବ । ଦୁଇ ଭାଇଙ୍କ ଚିକିତ୍ସା ପାଇଁ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି । ଉକ୍ତ ଡାକ୍ତରୀ ଟିମ୍‌ ଦୁଇ ଜଣଙ୍କ ଉପରେ ଚବିଶ ଘଣ୍ଟିଆ ନଜର ରଖିବେ । 

ଉଲ୍ଲେଖ ଯୋଗ୍ୟ, ୨୦୧୭ ଜୁଲାଇ ୧୪ରେ କନ୍ଧମାଳ ଜିଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ୨୦୧୭ ଅକ୍ଟୋବର ୨୫ ଓ ୨୬ ଦୁଇ ଦିନ ଧରି ଅସ୍ତ୍ରୋପଚାର କରି ସଫଳତାର ସହ ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା । ସେଠାରେ ସୁସ୍ଥ ହେବା ପରେ ସେମାନେ ଓଡ଼ିଶା ଆସିପାରିବେ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଥିଲେ । ତେବେ ଦୁଇ ଶିଶୁ କେଉଁଠି ରହିବେ ସେ ନେଇ ବିଚାର କରାଯାଇଥିଲା । ଭୁବନେଶ୍ୱର ଏମ୍ସରେ ରଖିବା ପାଇଁ ମନା କରିଦେବା ପରେ ଏସ୍‌ସିବିରେ ରଖିବାକୁ ସ୍ଥିର ହୋଇଥିଲା ।