କଟକ : ଜଗା ହାତ ମିଳାଉଛି। ହିନ୍ଦୀରେ କଥା ହେଉଛି, ସାଧାରଣ ପିଲାଙ୍କ ଭଳି ଦୁଷ୍ଟାମୀ ବି କରୁଛି। ଜଗା ଫିଟ୍ ଥିବାବେଳେ ବଳିଆ କିନ୍ତୁ ଶୋଇ ରହୁଛି। ତେଣୁ ଗଠନ ହୋଇଥିବା ୧୪ ଜଣିଆ ଡାକ୍ତରୀ ଦଳ ଜଗା-ବଳିଆଙ୍କ ଚିକିତ୍ସା ଆରମ୍ଭ କରିଥିବାବେଳେ ବଳିଆ ଉପରେ ସ୍ବତନ୍ତ୍ର ନଜର ରଖିଛନ୍ତି। ଆଜି ନୂଆଦିଲ୍ଲୀର ଏମ୍ସରୁ ଆସି କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି ହେବା ପରେ ସେମାନଙ୍କ ସଂପର୍କରେ ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। କେବଳ ସେତିକି ନୁହେଁ, ଜଗାକୁ ଏବେ ସାଢ଼େ ୪ ବର୍ଷ ଚାଲିଥିବାବେଳେ ତା’କୁ ଖୁବଶୀଘ୍ର ସ୍କୁଲକୁ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଜଗା-ବଳିଆଙ୍କ ବାପା ଭୂୟାଁ କହଁର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଗନ୍ନାଥଙ୍କ ଆଶୀର୍ବାଦରୁ ସବୁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।
ଗତକାଲି ଦିଲ୍ଲୀ ଛାଡ଼ିଥିବା ଜଗା-ବଳିଆ ଆଜି ଅପରାହ୍ଣରେ କଟକରେ ପହଞ୍ଚିଥିଲେ। ରାଜଧାନୀ ଏକ୍ସପ୍ରେସରୁ ସେମାନେ ଓହ୍ଲାଇବା ପରେ ବ୍ୟାଟେରି ଗାଡ଼ିରେ ସେମାନଙ୍କୁ ବାହାରେ ରଖାଯାଇଥିବା ସ୍ବତନ୍ତ୍ର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରୁ କଟକ ବଡ ମେଡିକାଲରେ ପ୍ରସ୍ତୁତ ହୋଇ ରହିଥିବା ଟ୍ରମା କେୟାର ୟୁନିଟ୍ ସଂଲଗ୍ନ ସ୍ବତନ୍ତ୍ର କ୍ୟାବିନ୍କୁ ଅଣା ଯାଇଥିଲା। ସେମାନଙ୍କ ସହ ଏମ୍ସରୁ ଆସିଥିବା ୩ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଓ ଏସ୍ସିବିରୁ ଯାଇଥିବା ଦୁଇ ଜଣ ଡାକ୍ତର ଓ ନ୍ୟୁରୋସର୍ଜରି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ବିଶେଷଜ୍ଞ ଡାକ୍ତରୀ ଦଳ ଜଗା-ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଏମ୍ସ ପକ୍ଷରୁ ଉଭୟଙ୍କ ଚିକିତ୍ସା ସଂପର୍କୀତ ରିପୋର୍ଟ ଏସ୍ସିବି ବିଶେଷଜ୍ଞ କମିଟିକୁ ପ୍ରଦାନ କରିଥିଲେ ଏମ୍ସର ପ୍ରଫେସର ଡାକ୍ତର ଦୀପକ ଗୁପ୍ତା। ବଳିଆ ପାଇଁ ୬ ମାସର ଖାଦ୍ୟ ପ୍ରସ୍ତୁତ କରି ଏମ୍ସ ପକ୍ଷରୁ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି।
ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏସ୍ସିବିରେ ପହଞ୍ଚି ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ବୁଝିବା ସହ ମେଡିକାଲ କଲେଜର ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଏସ୍ସର ପ୍ରଫେସର ଡାକ୍ତର ଦୀପକ ଗୁପ୍ତା, ଗଠନ ହୋଇଥିବା ବିଶେଷଜ୍ଞ କମିଟିର ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଏସ୍ସିବି ମେଡିକାଲ ଅଡିଟୋରିୟମ୍ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜଗାକୁ ଖୁବ୍ଶୀଘ୍ର ଏସ୍ସିବି କ୍ୟାମ୍ପସ ପରିସରରେ ଥିବା ସ୍କୁଲରେ ପଢ଼ାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ। କିନ୍ତୁ ଏବେବି ବଳିଆର ସ୍ବାସ୍ଥ୍ୟାବସ୍ଥା ଉଦ୍ବେଗଜନକ ରହିଛି। ପେଟରେ ନଳୀ ମାଧ୍ୟମରେ ତାକୁ ଖାଇବାକୁ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ନିଜେ ଜଗା-ବଳିଆଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ତଦାରଖ କରୁଛନ୍ତି। ଚିକିତ୍ସା ପାଇଁ ୧ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ସେଥିରୁ ୨୧ଲକ୍ଷ ୮୩ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଜଗନ୍ନାଥଙ୍କ ଆଶୀର୍ବାଦରୁ ଦୁଇ ଜଣ ସୁସ୍ଥ ହୋଇ ଫେରିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏମ୍ସର ପ୍ରଫେସର ଡାକ୍ତର ଦୀପକ ଗୁପ୍ତା କହିଥିଲେ ଯେ ସେ ତାଙ୍କ ୨୦ ବର୍ଷର କ୍ୟାରିୟରରେ ଏଭଳି ଘଟଣା ଦେଖି ନାହାନ୍ତି। କୌଣସି ରାଜ୍ୟ ସରକାର ତାଙ୍କ ରାଜ୍ୟର ଶିଶୁଙ୍କ ପାଇଁ ଏଭଳି ପ୍ରତିବଦ୍ଧତା ଦେଖାଇବା ସେ ଜାଣି ନଥିବା କହିଥିଲେ। ଏହା ଭାରତର ଏକ ବିରଳ ଅସ୍ତ୍ରୋପଚାର। ଦୁଇ ଛୁଆ ଆମର ଚାନ୍ଦ। ତେଣୁ ସେମାନଙ୍କ ଜୀବନ ଆମ ପାଇଁ ଅମୂଲ୍ୟ ବୋଲି ସେ କହିଛନ୍ତି। ଜଗାକୁ ତୁରନ୍ତ ସ୍କୁଲକୁ ପଠାଇବା ପାଇଁ ସେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିବା ସେ ସୂଚନା ଦେଇଛନ୍ତି। ଜଗା-ବଳିଆ ରେଳ ଷ୍ଟେସନ୍ରେ ପହଂଚିବା ସମୟରେ ସେଠାରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଡିପିଆରଓ ଅଶୋକ କୁମାର ଷଢଙ୍ଗୀ, ଏସ୍ସିବି ଜରୁରୀକାଳୀନ ଅଧିକାରୀ ଭୁବନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।