ଜି.ଆଇ.ଜେଡ୍. ପ୍ରତିଷ୍ଠାନ ଓ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ, ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ସହରାଂଚଳରେ ନଗର ବିକାଶକୁ ଦୃଷ୍ଟିରେ ରଖି ଜର୍ମାନୀର ଜି.ଆଇ.ଜେଡ୍. ପ୍ରତିଷ୍ଠାନ ଓ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ୍, ପଚାଂୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ବୁଝାମଣାପତ୍ର ସ୍ୱାକ୍ଷରକୁ ରାଜ୍ୟରେ ସହର ବିକାଶ କ୍ଷେତ୍ରରେ ବଳିଷ୍ଠ ପ୍ରକଳ୍ପକୁ ଉତ୍ସାହିତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ୨୦୧୮ରେ ଜର୍ମାନ ଓ ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରାଳୟ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ସ୍ମାର୍ଟସିଟି ଗୁଡିକରେ ବିଭିନ୍ନ ଉନ୍ନତି ଓ ରୂପାୟିତ ହେଉଥିବା ପରିପ୍ରେକ୍ଷୀରେ ଆଜିର ଏହି ବୁଝାମଣା ଓଡ଼ିଶା ପାଇଁ ଅଧିକ ଫଳପ୍ରଦ ହେବ । ଜର୍ମାନର ସଂସ୍ଥା ଏବଂ ରାଜ୍ୟର ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବରେ ସହରାଂଚଳ ଗୁଡିକରେ ଗରୀବ ଲୋକଙ୍କ ଗୃହ ନିର୍ମାଣ, ମୌଳିକ ସହରୀ ଭିତିଭୂମି ଓ ଜଳବାୟୁ ପ୍ରତିରୋଧକ ନିର୍ଘଂଟକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବେ । ରାଜ୍ୟର ସହରାଂଚଳରେ ଚାଲିଥିବା ପ୍ରକଳ୍ପ ଓ ମିଶନ ଗୁଡିକର କାର୍ଯ୍ୟକ୍ରମକୁ ଏହି ମିଳିତ ସହଯୋଗ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟରେ ୧୭% ଅଂଚଳର ସହରୀକରଣ ହୋଇଥିବାବେଳେ ପରବର୍ତୀ ସମୟରେ ଅଧିକ ଲୋକ ସହରାଂଚଳ ସୁବିଧା ସୁଯୋଗ ପାଇବାକୁ ଆଗ୍ରହୀ ହେବେ । ସେମାନଙ୍କୁ ସହରାଂଚଳ ସୁବିଧା ଉପଲବ୍ଧ କରାଇବା ପାଇଁ ଏପରି ରାଜିନାମା ସହାୟକ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଓ ଦୂରଦୃଷ୍ଟି ନେତୃତ୍ୱ ବଳରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ରାଜ୍ୟରେ ସହରାଂଚଳ ବିକାଶ ପାଇଁ ଉଦ୍ୟମ ଅବ୍ୟାହତ ରଖିବ ଓ ସେଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ମଧ୍ୟ ପ୍ରତିଫଳିତ ହେବ ବୋଲି ମନ୍ତ୍ରୀ ଜେନା ଉଲ୍ଲେଖ କରିଛନ୍ତି ।