ଭୁବନେଶ୍ୱର: ରାଜ୍ୟ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଖୁସି ଖବର । ତେବେ ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତା ୫ ପ୍ରତିଶତ ବୃଦ୍ଧି କରାଇଛନ୍ତି । ଏହା ଏବେ ୧୨ ପ୍ରତିଶତରୁ ବଢ଼ି ୧୭ ପ୍ରତିଶତ ହୋଇଛି। ଏହି ବର୍ଦ୍ଧିତ ୫ ପ୍ରତିଶତ ମହଙ୍ଗା ଭତ୍ତା ଜୁଲାଇ ୨୦୧୯ରୁ ପିଛିଲା ଭାବେ ଲାଗୁ ହେବ। ମଙ୍ଗଳବାର ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି। ଦାବି ମୁତାବକ ସରକାର ପିଛିଲା ଭାବେ ୫ ପ୍ରତିଶତ ମହଙ୍ଗା ଭତା ଦେଇଥିବାରୁ ସଚିବାଳୟ କର୍ମଚାରୀ ମହାସଂଘ ସରକାରଙ୍କୁ କୃତଜ୍ଞତା ଜଣାଇଛି।
ସେହିପରି ଗତ ଶନିବାର କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତା ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା । ୨୦୨୦ ଜାନୁଆରି ପହିଲାରୁ ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁହେବ। ଫଳରେ ୨୦୨୦ ଜାନୁଆରି ପହିଲାରୁ କର୍ମଚାରୀ ଓ ପେନସନଭୋଗୀମାନେ ୧୭ ପ୍ରତିଶତ ପରିବର୍ତେ ୨୧ ପ୍ରତିଶତ ମହଙ୍ଗା ଭତା ପାଇବେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ରେ ୪୮ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ।