ପ୍ରଥମ କରି ସର୍ବବୃହତ୍ ଡିଜିଟାଲ୍ ରଥଯାତ୍ରା ଆୟୋଜନ କରିବ ଇସ୍କନ୍

କୋଲ୍‌କାତା: ମଙ୍ଗଳବାର ଦିନ ବିଶ୍ୱର ଛଅଟି ମହାଦେଶରେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍ ସୋସାଇଟି ଫର୍ କ୍ରିଷ୍ଣା କନ୍‌ସାଇଅସ୍‌ନେସ୍’ (ଇସ୍କନ୍) ବିଶ୍ୱର ସର୍ବପ୍ରଥମ ଡିଜିଟାଲ୍ ବା ଭର୍ଚ୍ୟୁଆଲ୍ ରଥଯାତ୍ରା ଆୟୋଜନ କରିବ। କୋଭିଡ୍-୧୯ ମହାମାରୀ ସଂକ୍ରମଣ କାରଣରୁ ଏ ବର୍ଷ ଡିଜିଟାଲ୍ ରଥଯାତ୍ରା ନିମନ୍ତେ ଯୋଜନା କରାଯାଇଛି। ଛଅଟି ମହାଦେଶ ଏବଂ ୧୦୮ଟି ରଥ ନିମନ୍ତେ ଏହି ଡିଜିଟାଲ୍‌ ରଥଯାତ୍ରାର ନାଁ ରଖାଯାଇଛି ‘ମର୍ସି ଇନ୍ ହୁଇଲ୍‌ସ୍’ ବା ‘ଚକ୍ରରେ କରୁଣା’।

ଲୋକ ବିଶ୍ୱାସ ଅନୁସାରେ, ରଥଯାତ୍ରା ଦିନ ପ୍ରଭୁ ଜଗନ୍ନାଥଙ୍କୁ ଦେଖିଲେ ଭକ୍ତର ସର୍ବପାପ କ୍ଷୟ ହୁଏ। ଏ ସଂକ୍ରାନ୍ତରେ ‘ମର୍ସି ଅନ୍ ୱେବ୍‌ସାଇଟ୍‌’ ସୂଚନାରେ ଉଲ୍ଲେଖ ଅଛି ଯେ, ସମଗ୍ର ବିଶ୍ୱରେ ସର୍ବପ୍ରଥମ ଡିଜିଟାଲ୍ ରଥଯାତ୍ରା ପରିବେଶଣ କରାଇବାକୁ ମାୟାପୁର ଇସ୍କନ୍ ଅତ୍ୟନ୍ତ ଆନନ୍ଦିତ।

ବିଶ୍ବର ଏହି ସର୍ବବୃହତ୍ ରଥଯାତ୍ରା ଜୁନ୍ ୨୩ ଓ ୨୪ ତାରିଖରେ ଆୟୋଜନ କରାଯାଇଛି। ଏହାର ସମୟ ଅବଧି ରହିଛି ୨୪ ଘଣ୍ଟା। ଜୁନ୍ ୨୩ ତାରିଖ ସକାଳ ୮ଟାରେ ଆରମ୍ଭ ହୋଇ ଏହି ଡିଜିଟାଲ୍ ରଥଯାତ୍ରା ଜୁନ୍‌ ୨୪ ତାରିଖ ସକାଳ ୮ଟାରେ ସମାପ୍ତ ହେବ।

ଭକ୍ତମାନେ ଇସ୍କନ୍ କୋଲକାତାର ଅଫିସିଆଲ୍ ୱେବ୍‌ସାଇଟ୍ iskconkolkata.comରେ ଏହି ରଥଯାତ୍ରାର ସିଧା ପ୍ରସାରଣ ଦେଖିପାରିବେ।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ୧୯୬୭ ମସିହାରେ ଇସ୍କନ୍‌ର ସଂସ୍ଥାପକ ଶ୍ରୀଳ ପ୍ରଭୁପାଦ ସାନ୍‌ଫ୍ରାନ୍ସିସ୍‌କୋରେ ଇସ୍କନ୍ ରଥଯାତ୍ରା ଆରମ୍ଭ କରିଥିଲେ।