ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ମତ ରଖିଲେ ଗଜପତି ମହାରାଜା

ଭୁବନେଶ୍ୱର: ଇସ୍କନ ପକ୍ଷରୁ ଅଦିନ ରଥଯାତ୍ରା ପ୍ରସ୍ତୁତି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜର ମତ ରଖିଛନ୍ତି। ଏକ ପ୍ରେସ ରିଲିଜ୍ ଜରିଆରେ ପ୍ରତିକ୍ରିୟା ଦେଇ ଗଜପତି ମହାରାଜା କରହିଛନ୍ତି ଯେ, ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇଥାଏ। ରଥଯାତ୍ରା ସରିଲେ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନ ବିଜେ କରିଥାନ୍ତି।ତ୍ରୟୋଦଶୀ/ଚତୁର୍ଦ୍ଦଶୀରେ ମହାପ୍ରଭୁ ରତ୍ନ ସିଂହାସନ ବିଜେ କରିଥାନ୍ତି। ତେରୁ ବିଶ୍ୱର ସବୁ ଜଗନ୍ନାଥପ୍ରେମୀ ନିର୍ଦ୍ଧାରିତ ତିଥିରେ ଘୋଷଯାତ୍ରା କରନ୍ତୁ। ଶ୍ରୀମନ୍ଦିରର ପରମ୍ପରାକୁ ଉଲ୍ଲଂଘନ କରି କେହି ପବିତ୍ର ଯାତ୍ରା ନକରିବାକୁ ସେ ଅନୁରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ନଭେମ୍ୱର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା।

ଲୁଧିଆନାରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବିଜେପି ବିରୋଧ କରିଥିଲା। ଏପରିକି ବିଜେପି ଲ’ ଆଣ୍ଡ ଲିଗାଲ ଆଫେୟାର୍ସ ଡିପାର୍ଟମେଣ୍ଟ ପକ୍ଷରୁ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ କେଉଁ ଆବାହମାନ କାଳରୁ ଚାଲି ଆସିଛି। ତେବେ ଇସ୍‌କନ୍‌ର ଏହି ଅଦିନିଆ ରଥଯାତ୍ରା ସଂସ୍କୃତି ବିରୋଧୀ ବୋଲି ବିଜେପି ଅଭିଯୋଗ କରିଥିଲା। ତେବେ ବିରୋଧ ହେବା ପରେ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରି ଥିଲା ଇସ୍କନ। ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ କରି ଗତକାଲି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ଶ୍ରୀଜଗନ୍ନାଥ ସେନା ଓ ପୁରୀ ସଚେତନ ନାଗରିକ ମଞ୍ଚ।