ଭାରତ ବିରୋଧରେ ପୁଣି ଷଡଯନ୍ତ୍ର ରଚୁଛି ପାକ୍

ନୂଆଦିଲ୍ଲୀ : ଦେବାଳିଆ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ନିଜର ଭାରତ ବିରୋଧୀ ଷଡ଼ଯନ୍ତ୍ରରୁ ଛାଡିପାରୁନାହିଁ ପାକିସ୍ତାନ । ଦିନକୁ ଦିନ ନୂଆ ନୂଆ ଷଡ଼ଯନ୍ତ୍ର କରିବାରେ ଲାଗିଛି ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ । ବିଶ୍ୱ ଜନମତର ଚାପ ଓ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ ଏବେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସାମୟିକ ଭାବେ ବନ୍ଦ ରଖିଛି ।

କିନ୍ତୁ ଏହା ନୁହେଁ ଯେ ପାକିସ୍ତାନ ଚୁପ ହୋଇ ବସିରହିଛି । ଆଇଏସ୍‌ଆଇ ଏବେ ଶିଖମାନଙ୍କ ମଧ୍ୟରେ ବିଚ୍ଛିନ୍ନତାବାଦକୁ ପ୍ରେତ୍ସାହନ ଦେବାକୁ ଏକ ନୂଆ ଗୋପନ ଯୋଜନା ଉପରେ କାମ କରୁଛି । ଏହାର ନାଁ ରଖାଯାଇଛି ‘ପ୍ରୋଜେକ୍ଟ ହାରଭେଷ୍ଟିଂ କାନାଡା’। ଏହା ମାଧ୍ୟମରେ ଭାରତରେ ରହୁଥିବା ଅବସରପ୍ରାପ୍ତ ଶିଖ ସେନା ଅଧିକାରୀ ଓ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ କରିବା । ଏଥିପାଇଁ କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କୁ ନିୟୋଜିତ କରାଯାଇଛି । ଏପରି କରି ଭାରତୀୟ ସେନା ଅଧିକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଓ ପଂଜାବରେ ଅସ୍ଥିରତା ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି ପାକିସ୍ତାନ ବୋଲି କହିଛି ଭାରତୀୟ ସାମରିକ ଗୁଇନ୍ଦା ସଂସ୍ଥା ଓ ର’ ।