ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ କାଟିଲେ ମିଳିବ ୮୦ ମିଲିୟନ ଆମେରିକୀୟ ଡଲାର: ଇରାନର ଘୋଷଣା

ତେହେରାନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କ ମୁଣ୍ଡ କାଟିଲେ ମିଳିବ ୮୦ ମିଲିୟନ୍ ଆମେରିକୀୟ ଡଲାର । ଏଭଳି ଘୋଷଣା କରିଛନ୍ତି ଇରାନର ଜଣେ ବ୍ୟକ୍ତି । ତେବେ ଇରାନର କୁଦସ୍ ସେନାମୁଖ୍ୟ ମେଜର ଜେନେରାଲ କ୍ୱାସିମ୍ ସୁଲେମାନୀଙ୍କ ହତ୍ୟା ପରେ ଉଭୟ ଦେଶରେ ତିକ୍ତତା ଆରମ୍ଭ ହୋଇଥିବାବେଳେ ଇରାନର ଜଣେ ବ୍ୟକ୍ତି ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବ ତାଙ୍କୁ ଏହି ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ ।

ଟ୍ବିଟର୍‌ରେ ପୋଷ୍ଟ୍‌ ହୋଇଥିବା ଏକ ଭିଡିଓରେ ଶୁଣିବାକୁ ମିଳିଛି ଯେ ଟ୍ରମ୍ପ୍‌ଙ୍କୁ ହତ୍ୟା କରିବାକୁ ଜଣେ ବ୍ୟକ୍ତି ପୁରସ୍କାର ରାଶି ଘୋଷଣା କରୁଛନ୍ତି। ଇରାନର ଜନସଂଖ୍ୟା ୮୦ ମିଲିୟନ୍‌ ହୋଇଥିବାରୁ ଆମେରିକୀୟ ଡଲାରରେ ପୁରସ୍କାର ରାଶି ଭାବେ ୮୦ ମିଲିୟନ ହିଁ ଘୋଷଣା କରିଛନ୍ତି ବ୍ୟକ୍ତି ଜଣକ।

ମଶାଦରେ ଅନୁଷ୍ଠିତ ସୁଲେମାନୀଙ୍କ ଶବଯାତ୍ରା ସମୟରେ ଜଣେ ବ୍ୟକ୍ତି ସେଠାରେ କହୁଛନ୍ତି କି, ‘ଆମେ ୮୦ ମିଲିୟନ୍‌ ଲୋକ। ସମସ୍ତେ ମିଶି ଗୋଟାଏ ଡଲାର ଦେଲେ ବି ସମୁଦାୟ ୮୦ ମିଲିୟନ୍‌ ଡଲାର ହେବ। ଆମେ ତାହାକୁ ଟ୍ରମ୍ପଙ୍କ ହତ୍ୟାକାରୀକୁ ପୁରସ୍କାର ଆକାରରେ ପ୍ରଦାନ କରିବୁ।’ ମାତ୍ର ଇରାନ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ଶୁକ୍ରବାର ଇରାନ୍‌ର କମାଣ୍ଡର ଜେନେରାଲ କାସିମ ସୁଲେମାନୀ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ନିହତ ହେବାପରେ ଏବେ ଇରାନ୍‌ ପ୍ରତିଶୋଧ ନେବାପାଇଁ ପ୍ରସ୍ତୁତ ହେଉଛି। ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଆଜି ଇରାନ୍‌ ଘୋଷଣା କରିବା ସହ କୋମ୍‌ ସହରର ଏକ ମସ୍‌ଜିଦ୍‌ରେ ଲାଲ ପତାକା ଉଡ଼ାଇଛି। ଏହି ଲାଲ ପତାକାକୁ ପ୍ରତିଶୋଧ ଏବଂ ଯୁଦ୍ଧର ସଙ୍କେତ ଭାବେ ଇରାନ୍‌ ଗ୍ରହଣ କରିଛି ଏବଂ ଏହା ଦ୍ବାରା ନାଗରିକମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇ ଦେଇଛି। ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ୍‌ ଘୋଷଣା କରିଥିଲା ଯେ ଏହାର ଭୟଙ୍କର ପରିଣାମ ଆମେରିକାକୁ ଭୋଗିବାକୁ ପଡ଼ିବ।