ରୀନା ମିତ୍ରଙ୍କୁ ମିଳିଲା ଆଭ୍ୟନ୍ତରୀଣ ସୁରକ୍ଷା ପରାମର୍ଶଦାତାର ଦାୟିତ୍ୱ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ତଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ର ସର୍ବପ୍ରଥମ ମହିଳା ନିର୍ଦ୍ଦେଶକ ହେବାରୁ ବଂଚିତ ହେବାପରେ ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଧିକାରୀ ମିତ୍ରଙ୍କୁ ପଶ୍ଚିମବଙ୍ଗ ସରକାର ନିଜର ଆଭ୍ୟନ୍ତରୀଣ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ସିବିଆଇ ନୂତନ ନିର୍ଦ୍ଦେଶକ ନିର୍ଦ୍ଦେଶକ ପଦବୀ ପାଇଁ ଯେଉଁ ୧୨ଜଣ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କର ନାମକୁ କ୍ଷୁଦ୍ର ତାଲିକାଭୁକ୍ତ
(ସର୍ଟ ଲିଷ୍ଟେଡ) କରାଯାଇଥିଲା ସେଥିରେ ସର୍ବପ୍ରଥମେ ରୀନା ମିତ୍ର ରହିଥିଲେ । ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ବସିଥିବା ପ୍ରଥମ କମିଟି ବୈଠକରେ କୌଣସି ନିଷ୍ପତି ନିଆଯାଇ ନ ଥିବାରୁ ସେ ଏହି ଦୌଡରୁ ବାଦ୍ ପଡ଼ିଥିଲେ । କାରଣ ୨ୟ କମିଟି ବସିବାର ଦିନକ ପୂର୍ବରୁ ସେ ଅବସର ନେଇଥିଲେ ।
ପ୍ରକାଶ ଯେ, ପଶ୍ଚିମବଙ୍ଗରେ ଜନ୍ମିତ ରୀନା ମିତ୍ର ୧୯୮୩ ବ୍ୟାଚ୍ର ମଧ୍ୟପ୍ରଦେଶ କ୍ୟାଡରର ଆଇପିଏସ୍ ଅଫିସର ଥିଲେ । ଏହା ସହିତ ସେ ପଶ୍ଚିମବଙ୍ଗର ସର୍ବପ୍ରଥମ ମହିଳା ଆଇପିଏସ୍ ଅଫିସର । ନିଜର କର୍ମ ଦକ୍ଷତା ଓ କୁଶଳତା ପାଇଁ ତାଙ୍କୁ ୧୯୯୯ ମସିହାରେ ସର୍ବୋଚ୍ଚ ପୋଲିସ ମେଡାଲ ଓ ୨୦୦୮ରେ ରାଷ୍ଟ୍ରପତି ମେଡାଲରେ ସମ୍ମାନିତ କରାଯାଇଥିଲା ।