ଡିଜିପି ଭାବେ ଦାୟିତ୍ୱ ନେଲେ ଅଭୟ

କଟକ: କଟକ ପୋଲିସ କାର୍ଯ୍ୟାଳୟରେ ଆଜି ଅଭୟ ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ । କଟକ ମୁଖ୍ୟଳୟରେ ମଧ୍ୟବର୍ତିକାଳୀନ ଡିଜିପି ଭାବେ କାର୍ଯ୍ୟ କରୁଥିବା ସତ୍ୟଜିତ୍ ମହାନ୍ତିଙ୍କ ଠାରୁ ଅଭୟ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ।

ଦାୟିତ୍ୱ ଗ୍ରହଣ ପରେ ନୂଆ ଡିଜି ଅଭୟ  କହିଛନ୍ତି, ପୁଲିସ ବିଭାଗରେ ‘ମୋ ସରକାର ଯୋଜନା’ ଓ ‘୫-ଟି’କୁ କାର୍ଯ୍ୟାନ୍ୱିତ କରିବା ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ। ମହିଳା ଓ ଦୁର୍ବଳ ଶ୍ରେଣୀଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ସାଧାରଣ ଲୋକ ଥାନାକୁ ଅଭିଯୋଗ ଲାଗି ଆସିଲେ ସେମ‌ାନଙ୍କୁ ସୁବ୍ୟବହାର ପ୍ରଦର୍ଶନ ଉପରେ ମଧ୍ୟ ଅଗ୍ରାଧିକାର ଦିଅ‌ା‌ଯିବ। ଏଥିସହିତ ନକ୍ସଲ ଓ ମାଫିଆଙ୍କ ଦମନ ଦିଗରେ କାର୍ଯ୍ୟ କରାଯିବା ସହିତ ଓଡ଼ିଶା ପୁଲିସର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯିବ ବୋଲି ଡିଜି ଅଭୟ କହିଛନ୍ତି।

ଉଲ୍ଲେଖାଯାଗ୍ୟ, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପୋଲିସ ଡିଜି ବିଜୟ ଶର୍ମାଙ୍କ ବଦଳି ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର । କିନ୍ତୁ ସେତେବେଳେ ଅଭୟ ଡେପୁଟେସନରେ ଥିବା ହେତୁ ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ଭାବେ ଦାୟିତ୍ୱ ଦିଆଯାଇଥିଲା । ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଭୟଙ୍କ ନିକଟରେ ଅନେକ ବଡ ବଡ ଚ୍ୟାଲେଞ୍ଜ ରହିଛି ।