ରାଜ୍ୟରେ ସାମ୍ବାଦିକ କଲ୍ୟାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ତିତ କରିବାକୁ ବିଭାଗୀୟ ଉପଦେଷ୍ଟା ମାନସ ମଙ୍ଗରାଜଙ୍କ ପରାର୍ମଶ୍ୟ

ଭୁବନେଶ୍ୱର : ରାଜ୍ୟରେ ସାମ୍ବାଦିକ ମାନଙ୍କ ଲାଗି କଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉ । ସାମ୍ବାଦିକ ମାନଙ୍କ ଲାଗି ଅନ୍ୟ ରାଜ୍ୟମାନଙ୍କରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡିକ ଅନୁଧ୍ୟାନ କରୁ ବିଭାଗ । ସେହିଭଳି ଆମ ରାଜ୍ୟରେ ମଧ୍ୟ ସାମ୍ବାଦିକ ମାନଙ୍କ ଲାଗି କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉ । ନୂଆ ବର୍ଷରେ ସାମ୍ବାଦିକ ମାନଙ୍କ ଲାଗି ସୂଚନା ଓ ଲୋକସଂପର୍କ ବିଭାଗକୁ ଏମ୍ିତି ପରାର୍ମଶ୍ୟ ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକ ସଂପର୍କ ଉପଦେଷ୍ଟା ଶ୍ରୀ ମାନସ ରଂଜନ ମଙ୍ଗରାଜ । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ  ପକ୍ଷରୁ ଆୟୋଜିତ “ନୂଆ ବର୍ଷ-୨୦୨୦ ଅଭିନନ୍ଦନ” ଉତ୍ସବରେ ଯୋଗଦେଇ ଯୋଗ ଦେଇ ଶ୍ରୀ ମଙ୍ଗରାଜ ଏପରି ଉପଦେଶ ଦେଇଛନ୍ତି । ଏହି ମତ ଏବେ ସାମ୍ବାଦିକ ମାନଙ୍କ ଲାଗି ନୂଆ ବର୍ଷରେ ନୂଆ ଆଶା ସୃଷ୍ଟି କରିଛି ।

ବୁଧବାର ଅପରାହ୍ଣରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କାର‌୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ବିଭାଗ ପକ୍ଷରୁ ଆୟୋଜିତ “ନୂଆ ବର୍ଷ-୨୦୨୦ ଅଭିନନ୍ଦନ” ଉତ୍ସବରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ରାଜ୍ୟରେ ବିଭିନ୍ନସ୍ତରରେ କାର‌୍ୟ୍ୟ କରୁଥିବା ଲୋକ ସମ୍ପର୍କ ବା ତତୁଲ୍ୟ ଅଧିକାରୀମାନଙ୍କ ନିକଟରେ ବିଜ୍ଞତା ରହିଛି , ତେଣୁ ବୈଷୟିକ ଜ୍ଞାନକୌଶଳ ସହ ବିଜ୍ଞତାର ଉପଯୋଗ କରି କାର‌୍ୟ୍ୟକଲେ ରାଜ୍ୟର ବିକାଶର ଧାରା ତ୍ୱରାନ୍ୱିତ ହୋଇପାରିବ ବୋଲି   ପ୍ରକାଶ କରିଛନ୍ତି ।
କାର‌୍ୟ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ସଂଜୟ କୁମାର ସିଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନବବର୍ଷର ସ୍ୱାଗତ ଜଣାଇ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମିଶନ୍ ମୋଡ୍ରେ ବିଭିନ୍ନ କାର‌୍ୟ୍ୟକ୍ରମ କରିବାକୁ ପଡିବ ବୋଲି ଆହ୍ୱାନ ଦେଇଥିଲେ । ବିଭାଗୀୟ ସଚିବ ଆହୁରି ମଧ୍ୟ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ୫- ଟି ମାଧ୍ୟମରେ କେବଳ ଯେ ସାଧାରଣ ନାଗରିକମାନେ ଉପକୃତ ହେଉଛନ୍ତି, ତା ନୁହେଁ, ବରଂ ବିଭାଗୀୟ ପଦନ୍ନୋତି ତ୍ୱରାନ୍ୱିତ ହେବା ଦ୍ୱାରା ସରକାରୀ କର୍ମଚାରୀମାନେ ମଧ୍ୟ ଉପକୃତ ହେଉଛନ୍ତି । ଏହି ଆଧାରରେ ସୂଚନା ଓ ଲୋକସମ୍ପର୍କ ବିଭାଗରେ ମଧ୍ୟ ପଦନ୍ନୋତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ତେଣୁ ଅଧିକାରୀମାନେ ଅଧିକ ଦାୟିତ୍ୱ ସଂପନ୍ନ ଓ ପ୍ରତିବଦ୍ଧତାର ସହ କାର‌୍ୟ୍ୟକରିବା ଉଚିତ୍ ବୋଲି ସଚିବ କହିଥିଲେ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକ ସଂପର୍କ ଉପଦେଷ୍ଟା ଶ୍ରୀ ମାନସ ରଂଜନ ମଙ୍ଗରାଜ ସାମ୍ବାଦିକମାନଙ୍କ କଲ୍ୟାଣ ନିମନ୍ତେ ଅନ୍ୟ ରାଜ୍ୟରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକୁ ଅନୁଧ୍ୟାନ କରି ଆମ ରାଜ୍ୟରେ ତଦନୁଯାୟୀ କାର‌୍ୟ୍ୟକ୍ରମ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ଯୋଗଦେଇ କହିଲେ ଯେ, ୫-ଟି ଓ ମୋ ସରକାର କାର‌୍ୟ୍ୟକ୍ରମ ଅନୁଯାୟୀ ଆମ ବିଭାଗର ସମସ୍ତ କାର‌୍ୟ୍ୟ ପରିଚାଳିତ ହେଉଛି । ଆମେ ସରକାରୀ କର୍ମଚାରୀ ହିସାବରେ ଯେତିକି ବେତନ ନେଉଛୁ, ତା’ ଠାରୁ ଅଧିକ କାର‌୍ୟ୍ୟ ରାଜ୍ୟ ସରକାରଙ୍କ ପାଇଁ କରି ସମାଜରେ ଏକ ବଡ଼ ପରିବର୍ତ୍ତନ ଆଣିବାରେ ସହାୟକ ହେବାକୁ ନିର୍ଦ୍ଦେଶକ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ । ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସମ୍ପାଦକ ଡଃ. ଲେନିନ୍ ମହାନ୍ତି କହିଲେ ଯେ, ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ଟିମ୍ ୱାର୍କ ମନୋଭାବ ରହିଛି । ଏହାକୁ ଉପଯୋଗ କରି ରାଜ୍ୟ ସରକାରଙ୍କ ବିଭିନ୍ନ କାର‌୍ୟ୍ୟକ୍ରମକୁ ଆମେ ସଫଳତାର ସହ ଲୋକଙ୍କ ପାଖରେ ପହଞ୍ଚାଇଲେ ଆମେ ରାଜ୍ୟ ତଥା ରାଜ୍ୟ ସରକାରଙ୍କ ପାଇଁ ଗୋ÷ରବ ଆଣିପାରିବା । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିପିନି ବିହାରୀ ବାରିକି, ଉପ ଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି କାର‌୍ୟ୍ୟକ୍ରମକୁ କାର‌୍ୟ୍ୟାଳୟର ସହକାରୀ ଉପ ବିଭାଗ ଅଧିକାରୀ ଜୟସ୍ମିତା ଜେନା ସଞ୍ଚାଳନ କରିଥିବା ବେଳେ ଏଏସ୍ଓ ପ୍ରିୟଙ୍କା ମହାପାତ୍ର, ଅର୍ପିତା ପ୍ରିୟଦର୍ଶିନୀ, ସ୍ନେହଲତା ମଲ୍ଲିକ ସହଯୋଗ କରିଥିଲେ ।