ଆଇପିଏଲ୍‌ରୁ ହଟିଲା ଭିଭୋ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଲାଗି ରହିଲାଣି ବାଦ ବିବାଦ । ଗତ ରବିବାର ଆଇପିଏଲ ପରିଚାଳନା ପରିଷଦ ବୈଠକରେ ଲିଗ ଉପରେ ମୋହର ବାଜିବା କ୍ଷଣି ଆରମ୍ଭ ହୋଇଗଲା ବିବାଦ ।

ତେବେ ବୈଠକର ୪୮ ଘଣ୍ଟା ପରେ ଏହି ବିତ୍ତଶାଳୀ ଲିଗର୍‌ ମୁଖ୍ୟ ପ୍ରାୟୋଜକ ଭିଭୋ( ଚାଇନିଜ୍‌ ମୋବାଇଲ କମ୍ପାନୀ)କୁ ହଟାଯାଇଛି । ତେବେ ଚଳିତ ବର୍ଷ ପାଇଁ ଆଇପିଏଲ ଟ୍ରଫିରେ ଲାଗିବ ନୂଆ ଲୋଗୋ । ଅନ୍ୟପଟେ ଆସନ୍ତା ବର୍ଷରୁ ୨୦୨୩ ପର୍ଯ୍ୟନ୍ତ ପୁଣିଥରେ ପ୍ରାୟୋଜକ ରହିବ ଭିଭୋ ।

କାରଣ ଭିଭୋର ଚୁକ୍ତିରେ ଆହୁରି ୩ ବର୍ଷ ବାକି ଅଛି । ଯାହାକୁ ୨୦୨୧ , ୨୦୨୨ ଏବଂ ୨୦୨୩ରେ ପୂରଣ କରାଯିବା ନେଇ ଯୋଜନା ରହିଛି । ଭିଭୋ ଆଇପିଏଲର ଟାଇଟଲ୍ ପ୍ରାୟୋଜକ ରହିଥିଲା । ଏହା ୫ ବର୍ଷର ଚୁକ୍ତି ପାଇଁ ବିସିସିଆଇକୁ ବାର୍ଷିକ ୪୪୦ କୋଟି ଟଙ୍କା ପ୍ରଦାନ କରୁଥିଲା ।୨୦୧୭ ରେ ୨,୧୯୯ କୋଟି ଟଙ୍କାରେ ଟେଣ୍ଡର ହାତେଇଥିଲା ଭିଭୋ । ତେବେ ଆସନ୍ତା ୩ ଦିନ ମଧ୍ୟରେ ବିସିସିଆଇ ନୂତନ ପ୍ରାୟୋଜକ ପାଇଁ ଟେଣ୍ଡର ଡାକିବ ।

ତେବେ ଆଇପିଏଲ୍ ପରିଚାଳନା ପରିଷଦରେ ଭିଭୋକୁ ଟାଇଟଲ୍ ପ୍ରାୟୋଜକ ଭାବରେ ବଜାୟ ରଖିବାକୁ ନିଷ୍ପତ୍ତି ନେବା ପରେ ଆରମ୍ଭ ହୋଯାଇଥିଲା ହଙ୍ଗାମା । ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆରଏସଏସ) ଏବଂ ସ୍ଵଦେଶୀ ଜାଗରଣ ମଞ୍ଚ (ଏସଏମଏମ) ଆଇପିଏଲକୁ ବୟକଟ୍‌ କରିବାକୁ ଚେତାବନୀ ଦେଇଥିଲେ । ଏଥି ସହିତ ଦେଶର ବିଭନ୍ନ ପ୍ରାନ୍ତରୁ ଭିଭୋ ଆଇପିଏଲକୁ ବୟକଟ କରିବା ନେଇ ଆନ୍ଦୋଳନ ତେଜିଥିଲା । ଶେଷରେ ବାଧ୍ୟ ହୋଇ ବିସିସିଆଇ ଏପରି ନିଷ୍ପତ୍ତି ନେଇଛି ।