ଆଇପିଏଲ୍ ରେ ଫିକ୍ସିଂ ଅଭିଯୋଗକୁ ନେଇ ବିଦା ହେଲେ ୨ କ୍ରିକେଟର

ନୂଆଦିଲ୍ଲୀ: ଆସନ୍ତା ୧୯ରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୧୩ତମ ସିଜିନ୍ । ତେବେ ଏହା ପୂର୍ବରୁ ଆସିଛି ଚାଂଚଲ୍ୟକର ଖରବ । ୟୁଏଇରୁ ଫିକ୍ସି ଅଭିଯୋଗ ଆସିଛି ।

ୟୁଏଇର ଦୁଇ ଖେଳାଳିଙ୍କୁ ଏମିରାଟ୍ସ କ୍ରିକେଟ୍ ବୋର୍ଡ ଆଇସିସି ଦୁର୍ନୀତି ନିରୋଧୀ ଆଇନର ଉଲ୍ଲଂଘନ କରିବା ଅଭିଯୋଗରେ ନିଲମ୍ଵିତ କରିଛି। ଆମିର ହୟାତ ଓ ଅଶଫାକ ଅହମ୍ମଦଙ୍କ ଉପରେ ବୋର୍ଡ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଦୁଇ ଖେଳାଳିଙ୍କୁ ନିଜର ପକ୍ଷ ରଖିବା ପାଇଁ ୨ ସପ୍ତାହ ସମୟ ଦିଆଯାଇଛି।

ଆମିର ହୟାତ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଛନ୍ତି ମାତ୍ର କ୍ରିକେଟ୍‌ ୟୁଏଇ ତରଫରୁ ଖେଳନ୍ତି। ୟୁଏଇ ପାଇଁ ୯ଟି ଦିନିକିଆ ଓ ୪ ଟି-୨୦ ମ୍ୟାଚ୍‌ରେ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିଛନ୍ତି। ଏଥିରୁ ହୟାତ ଦିନିକିଆରେ ୧୧ ଓ୍ଵିକେଟ୍ ଓ ଟି-୨୦ ଅନ୍ତରାଷ୍ଟ୍ରୀୟରେ ୬ଟି ଓ୍ଵିକେଟ୍ ନେଇଛନ୍ତି।

ଅଶଫାକ ଅହମ୍ମଦ ମଧ୍ୟ ପାକିସ୍ତାନର ଲାହୋରରେ ଜନ୍ମ ଗ୍ରହଣ କରିଛନ୍ତି। ସେ ୟୁଏଇ ପାଇଁ ୧୬ଟି ଦିନିକିଆ ଓ ୧୨ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆରେ ଏହି ବ୍ୟାଟସମ୍ୟାନ ୨୧.୫୦ ହାରରେ ୨୩୮ ରନ କରିଛନ୍ତି। ଅଶଫାକଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମୋଟ୍ ୫ ଅର୍ଦ୍ଧଶତକ ରହିଛି।

ଏହି ଦୁଇ ଖେଳାଳିଙ୍କୁ ଆଇସିସିର ଦୁର୍ନୀତି ନିରୋଧୀ ନିୟମ ୫ ଉଲ୍ଲଂଘନରେ ଅଭିଯୁକ୍ତ ଦର୍ଶାଯାଇଛି। ଏମାନଙ୍କ ଉପରେ ଅର୍ଥ ବା ଉପହାର ନେଇ ମ୍ୟାଚ୍‌ର ଫଳାଫଳ ପ୍ରଭାବିତ କରିବାର ଗୁରୁତର ଅଭିଯୋଗ ଆସିଛି।

ସୂଚନଯୋଗ୍ୟ ଯେ, ସେପ୍ଟେମ୍ବର ୧୯ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଆଇପିଏଲର ୧୩ତମ ସଂସ୍କରଣ ୟୁଏଇରେ ଆୟୋଜିତ ହେଉଛି।