ଭିଭୋ ଆଇପିଏଲ ଟାଇଟଲ ସ୍ପନଶରରୁ ହଟିଲା, ୨ ଦିନ ମଧ୍ୟରେ ଟେଣ୍ଡର ଡକାଯିବ : ବିସିସିଆଇ

ନୂଆଦିଲ୍ଲୀ: ଚୀନ ମୋବାଇଲ କମ୍ପାନୀ ଭିଭୋ ଆଗାମୀ ଆଇପିଏଲ ସଂସ୍କରଣର ଟାଇଟଲ ସ୍ପନସରଶିପରୁ ହଟିବା କଥା ବିସିସିଆଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି । ପୂର୍ବରୁ ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇନାହିଁ । ନୂଆ ପ୍ରାୟୋଜକ ପାଇଁ ବିସିସିଆଇ ଆସନ୍ତା ଦୁଇ ଦିନ ମଧ୍ୟରେ ଟେଣ୍ଡର ଡାକିବ । ଗତ ୨୦୧୮ରୁ ଭିଭୋ ପ୍ରଥମଥର ପାଇଁ ଆଇପିଏଲର ପ୍ରାୟୋଜକ ହୋଇଥିଲା ।

ଏଥିପାଇଁ ଭିଭୋ ବିସିସିଆଇ ସହ ୫ ବର୍ଷ ପାଇଁ ୨୧୯୦ କୋଟି ଟଙ୍କାର ଚୁକ୍ତି କରିଥିଲା । ଅର୍ଥାତ ଭିଭୋ ବିସିସିଆଇକୁ ବର୍ଷକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଥିଲା । ସୂଚନାଯୋଗ୍ୟ ଯେ ଆଇପିଏଲ ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ । ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ । ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ । ଏବର୍ଷ କରୋନା ଭାଇରସ ଯୋଗୁଁ ମାର୍ଚ୍ଚ ଏପ୍ରିଲରେ ଆଇପିଏଲ ଖେଳାଯାଇନଥିଲା ।