ଆଇଓସିଏଲ ୭ ବର୍ଷରେ ୨ ଲକ୍ଷ କୋଟି ନିବେଶ କରିବ

ମୁମ୍ବାଇ : ଦେଶର ସାର୍ବଜନୀନ କ୍ଷେତ୍ରର ସର୍ବବୃହତ୍ ପେଟ୍ରୋଲିୟମ୍ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଏହାର ରିଫାଇନିଂ, ବିପଣନ, ତୈଳବିଶୋଧନାଗାର ଏବଂ ପ୍ରାକୃତିକ ଗ୍ୟାସ୍ ବ୍ୟବସାୟକୁ ବିସ୍ତାର କରିବା ଲାଗି ଯୋଜନା ଚଳାଇଛି । ଏହା...

ମୁମ୍ବାଇ : ଦେଶର ସାର୍ବଜନୀନ କ୍ଷେତ୍ରର ସର୍ବବୃହତ୍ ପେଟ୍ରୋଲିୟମ୍ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଏହାର ରିଫାଇନିଂ, ବିପଣନ, ତୈଳବିଶୋଧନାଗାର ଏବଂ ପ୍ରାକୃତିକ ଗ୍ୟାସ୍ ବ୍ୟବସାୟକୁ ବିସ୍ତାର କରିବା ଲାଗି ଯୋଜନା ଚଳାଇଛି । ଏହା ଅନ୍ତର୍ଗତ କମ୍ପାନୀ ଏ କ୍ଷେତ୍ରରେ ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ୨ ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ଯୋଜନା ପ୍ରସ୍ତୁତ କରିଛି । ଆଇଓସିଏଲ୍ର ଅଧ୍ୟକ୍ଷ ସଞ୍ଜୀବ ସିଂହ କମ୍ପାନୀର ବାର୍ଷିକ ସାଧାରଣ ବୈଠକ ପରେ ଏ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି ।

ଏଥିସହିତ ସେ କହିଛନ୍ତି ଯେ, ଇଣ୍ଡିଆନ୍ ଅଏଲ୍ ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ୨ ଲକ୍ଷ କୋଟି ଟଙ୍କା ନିବେଶ କରିବ । ଏହାଦ୍ୱାରା ଭବିଷ୍ୟତରେ ପ୍ରସ୍ତୁତ ହେବାକୁ ଥିବା କର୍ପୋରେଟ୍କୁ ବିକଶିତ କରାଯାଇପାରିବ, ଯାହା ବିବିଧ ଉପଯୋଗକର୍ତ୍ତା ସମୂହକୁ ବ୍ୟାପକ ଉର୍ଜା ସମାଧାନ ପ୍ରଦାନ କରୁଛି । ଏହି ନିବେଶ ଜରିଆରେ କମ୍ପାନୀ ଏହାର ମୂଳ ପେଟ୍ରୋଲିୟମ୍ ବ୍ୟବସାୟର ବିସ୍ତାର କରିବ ଏବଂ ରାଷ୍ଟ୍ରକୁ ଏକ ବୃହତ୍ ଉର୍ଜା ସମାଧାନ ଯୋଗାଇବାକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବ । ସେହିପରି ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁଭଳି ଭାବେ ପାରମ୍ପରିକ ଇନ୍ଧନ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ଆମେ ପାନିପତ୍ରୁ ପାରାଦୀପ ପର୍ଯ୍ୟନ୍ତ ଆମର ପ୍ରାୟ ସମସ୍ତ ରିଫାଇନାରିକୁ ବିସ୍ତାର କରିବା ଲାଗି ଆଗଭର ହେଉଛୁ । ଆମେ ପାଇପ୍ଲାଇନ୍ ଏବଂ ଭିତ୍ତିଭୂମି ବିପଣନରେ ଆବଶ୍ୟକ ମୁତାବକ ନିବେଶ କରୁଛୁ, ଯାହାଦ୍ୱାରା ଦେଶରେ ବର୍ଦ୍ଧିତ ଉର୍ଜା ଚାହିଦାକୁ ପୂରା କରିବାରେ କୌଣସି ଅଭାବ ପରିଲକ୍ଷିତ ହେବନାହିଁ । ଏଥିସହିତ କମ୍ପାନୀ ନୂତନ କ୍ଷେତ୍ରଗୁଡ଼ିକରେ ଅକ୍ଷୟ ଉର୍ଜା, ବ୍ୟାଟେରି ଷ୍ଟୋରେଜ୍, ସହରୀ ଗ୍ୟାସ୍ ବିତରଣରେ ମଧ୍ୟ ପ୍ରବେଶ କରିବାକୁ ଯାଉଛି । ଏ କ୍ଷେତ୍ରରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ନିବେଶ କରାଯିବାର ଆବଶ୍ୟକତା ରହିଛି । ଏହାଛଡ଼ା କେବଳ ସହରୀ ଗ୍ୟାସ୍ ବିତରଣ (ସିଜିଡି) ନେଟ୍ୱର୍କ ପାଇଁ ଆଇଓସିଏଲ୍ ଆସନ୍ତା ୮ ବର୍ଷ ମଧ୍ୟରେ ପ୍ରାୟ ୧୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କମ୍ପାନୀର ୧୧ଟି ରିଫାଇନାରୀ ରହିଛି । ଭାରତର ବାର୍ଷିକ ରିଫାଇନିଂ କ୍ଷମତା ମୋଟ ୨୫ କୋଟି ମେଟ୍ରିକ୍ ଟନ୍ ବ୍ୟାରେଲ୍ ରହିଥିବାବେଳେ ଏଥିମଧ୍ୟରୁ ଆଇଓସିଏଲ୍ର ଯୋଗଦାନ ଏକତୃତୀୟାଂଶ ରହିଛି । ପାନିପତ ଏବଂ ପାରାଦୀପ ରିଫାଇନାରି ସମ୍ବନ୍ଧିତ ପ୍ରମୁଖ ତୈଳବିଶୋଧନାଗାର ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ପରେ କମ୍ପାନୀ ୨୦୨୩-୨୪ ସୁଦ୍ଧା ଏହାର ତୈଳବିଶୋଧନାଗାର ପ୍ରକଳ୍ପକୁ ବିସ୍ତାର କରିବା ଲାଗି ୨୦ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି । ଆଇଓସିଏଲ୍ ସମେତ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ଏଚ୍ପିସିଏଲ୍) ଏବଂ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍) ମିଳିତ ହୋଇ ଗୁଜରାଟର କାଣ୍ଡଲାରୁ ଉତ୍ତରପ୍ରଦେଶର ଗୋରଖପୁର ପର୍ଯ୍ୟନ୍ତ ପ୍ରାୟ ୨,୭୫୭ କିଲୋମିଟର ବିଶିଷ୍ଟ ବିଶ୍ୱର ଦୀର୍ଘତମ ଏଲ୍ପିଜି ପାଇପ୍ଲାଇନ୍ ନିର୍ମାଣ କରୁଛନ୍ତି । ଗତ ଆର୍ଥିକବର୍ଷରେ ଆଇଓସିଏଲ୍ ୨୮ ହଜାର କୋଟି ଟଙ୍କା ନିବେଶ କରିଥିବାବେଳେ ଚଳିତ ଆର୍ଥିକବର୍ଷରେ ୨୫ ହଜାର କୋଟି ନିବେଶ କରିବାର ଯୋଜନା ରହିଛି ବୋଲି କମ୍ପାନୀ ତରଫରୁ ଉଲ୍ଲେଖ କରାଯାଇଛି ।

Spread the love
Categories
କର୍ପୋରେଟ୍

RELATED BY